ଭୁବନେଶ୍ୱର, ୧୭/୦୭ : କମ୍ଵିଂ ଅପରେସନ ବେଳେ ମାଓ ଡମ୍ପ ଠାବ। କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଗୁମା ଜଙ୍ଗଲରେ ମାଓ ଡମ୍ପ ଠାବ ହୋଇଛି। ଡିଭିଏଫ୍ ବାହିନୀ ସହ ବୋମା ନିଷ୍କ୍ରିୟକାରୀ ଦଳ ୬୦୦ ଡିଟୋନେଟର ଓ ଗୋଟିଏ ରିମୋଟ ଜବତ କରିଛନ୍ତି। ଯବାନଙ୍କୁ ଟାର୍ଗେଟ୍ କରିବାକୁ ନକ୍ସଲମାନେ ଏକ ବଡ଼ ଯୋଜନା କରୁଥିବା ବେଳେ ଉଦ୍ୟମ ଫେଲ୍ ମାରିଛି। କୋଟଗଡ଼ ଥାନା ଗୁମା ଜଙ୍ଗଲରେ ନକ୍ସଲମାନେ ଲୁଚି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ କନ୍ଧମାଳ ଏସପିଙ୍କ ନେତୃତ୍ଵରେ ଡିଭିଏଫ୍ ବାହିନୀ ଗୁମା ଜଙ୍ଗଲରେ କମ୍ଵିଂ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଜଙ୍ଗଲରେ ଏକ ମାଓ ଡମ୍ପ ଠାବ ହୋଇଥିଲା। ଡିଭିଏଫ୍ ବାହିନୀ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ମାଟି ତଳୁ ୬୦୦ ଡିଟୋନେଟର ଓ ଗୋଟିଏ ରିମୋଟ ଉଦ୍ଧାର କରିଛନ୍ତି। ଜଙ୍ଗଲରେ ଏବେ କମ୍ଵିଂ ଅପରେସନ ଜାରି ରହିଛି। ଆତ୍ମଗୋପନ ପାଇଁ ସୀମାନ୍ତ ଜିଲ୍ଲା ଗୁଡ଼ିକରେ ପଶୁଛନ୍ତି। ଏବେ ନିୟମିତ ବ୍ୟବଧାନରେ ମାଓକ୍ୟାମ୍ପ ଠାବ ହେଉଥିବାରୁ ସୀମାନ୍ତ ଅଞ୍ଚଳରେ ମାଓବାଦୀମାନେ ସକ୍ରିୟ ହେଉଛନ୍ତି । ନିଜ ସଂଗଠନକୁ ସଜାଡ଼ିବାକୁ ଉଦ୍ୟମ କରୁଛନ୍ତି । ବର୍ଷାଋତୁରେ ଗଛଡ଼ାଳ ଓ ଲଟାବୁଦାରେ ମାଓବାଦୀଙ୍କୁ ଲୁଚିବାକୁ ସୁବିଧା ହେଉଛି । ଅନ୍ୟପକ୍ଷେ ସୀମାନ୍ତରେ ଉଭୟ ରାଜ୍ୟ ପୁଲିସ ଓ ସୁରକ୍ଷା ବାହିନୀ ଘନଘନ କମ୍ବିଂ ଅପରେସନ ହେତୁ ମାଓବାଦୀଙ୍କୁ ବି ଭୟ ରହୁଛି । ତେବେ ସୀମାନ୍ତରେ ବାରମ୍ବାର ମାଓକ୍ୟାମ୍ପରୁ ବିସ୍ଫୋରକ ସାମଗ୍ରୀ ଜବତ ହେବା ପୁଲିସକୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଲାଲବାହିନୀ କୌଣସି ଏକ ବଡ଼ ଧରଣର ଅଘଟଣ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଥିବା ଆଲୋଚନା ହେଉଛି ।
