ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ

ଭୁବନେଶ୍ୱର,୨୫/୫: ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ । ମାଟ୍ରିକ ଖାତା ମୂଲ୍ୟାୟନ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଆସନ୍ତାକାଲିଠୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହେବ।

୬୦ଟି ସେଣ୍ଟରରେ ହେବାକୁଥିବା ମୂଲ୍ୟାୟନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଖାତା ମୂଲ୍ୟାୟନ କେନ୍ଦ୍ରରେ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ଵ ଦିଆଯାଇଛି। ସାନିଟାଇଜର ବ୍ୟବହାର ଉପରେ ଜୋର ଦିଆଯାଇଛି। ପୂର୍ବରୁ ମାର୍ଚ୍ଚ ୧୯ ତାରିଖରେ ଗୋଟିଏ ଦିନ ପାଇଁ ମୂଲ୍ୟାୟନ ହୋଇଥିଲା। ହେଲେ କୋରୋନା ଯୋଗୁଁ ଲକଡାଉନ ହେବାରୁ ଏହା ସ୍ଥଗିତ ରହିଛି। ଏହାପରେ ମେ ୨୦ରେ ସ୍ଥିର ହୋଇଥିଲା ଖାତା ଦେଖା। ହେଲେ ଅମ୍ପାନ ବାତ୍ୟା ପାଇଁ ଏହା ମେ ୨୧କୁ ପରିବର୍ତ୍ତନ କରାଯାଇଥିଲା। ତେବେ କିଛି ଅଂଚଳ ବାତ୍ୟା ପ୍ରଭାବିତ ହୋଇଥିବାରୁ, ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା। ଶେଷରେ ମେ ୨୬ ତାରିଖରୁ ଖାତା ଦେଖା ପାଇଁ ସ୍ଥିର ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଖାତାଦେଖା ହେବ। ୪୫ ଦିନ ଭିତରେ ଫଳାଫଳ ବାହାରିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।