ଭୁବନେଶ୍ବର : ନୂଆପଲ୍ଲୀରେ ହୋଇଥିବା ବହୁଚର୍ଚ୍ଚିତ ଜମି ଦଖଲ ମାମଲାରେ କମିସନରେଟ୍ ପୁଲିସ ପୁଣି ୫ ବାଉନ୍ସରଙ୍କୁ ବାନ୍ଧିଛି । ସେମାନେ ହେଲେ ଜଟଣୀ ଅଞ୍ଚଳର ପ୍ରଭାତ କୁମାର ସାହୁ(୨୮), ଲତିଫ୍ ଖାଁ(୩୬), ଲକ୍ଷ୍ମୀସାଗର ହଳଦୀପଡ଼ିଆ ବସ୍ତିର ଫିରୋଜ ଖାଁ ଓରଫ୍ ଜୁମେନ୍(୨୨), କ୍ୟାପିଟାଲ୍ ଥାନା ଅଞ୍ଚଳର ସେକ୍ ମୁସ୍ତାଖିମ୍ ଓରଫ୍ ରାହୁଲ୍(୨୮) ଏବଂ ଖୋର୍ଦ୍ଧା ସଦର ଥାନା ଅଞ୍ଚଳର ଶିବ ପ୍ରସାଦ ବିଶୋଇ ଓରଫ ରବି(୩୬)। ଏମାନେ ସମସ୍ତେ ନକୁଳ ମହାକୁଡ଼ ଗ୍ୟାଙ୍ଗ୍ ସହ ସାମିଲ୍ ହୋଇ ଘଟଣା ଦିନ ରାତିରେ ଦୁଇ ଦୋକାନକୁ ଭାଙ୍ଗି ମାଟିରେ ମିଶାଇ ଦେଇଥିଲେ। ୨ଟି ଜେସିବିକୁ ଜବତ କରାଯାଇଛି। ସେଥିମଧ୍ୟରୁ ଗୋଟିଏ ଜେସିବି ଏହି ମାମଲାର ସୂତ୍ରଧର ରାଘବ ଜେନାର ବୋଲି ଜଣାପଡ଼ିଛି। ଏହି ମାମଲାରେ ପୁଲିସ ବର୍ତ୍ତମାନ ସୁଦ୍ଧା ୧୯ ଜଣଙ୍କୁ ଗିରଫ କରିସାରିଛି। ଏସବୁ ପାଇଁ ସୁପାରି ନେଇ ମଧ୍ୟସ୍ଥତା କରିଥିବା ଝାରପଡ଼ାର ରାଘବ ଜେନା ଓ ଜମି ଦଖଲ କରିବାକୁ ବସିଥିବା ରଞ୍ଜିତ ଦାସପୁରିଆ ଆଜି ବି ପୁଲିସ ପାଇଁ ଅପହଞ୍ଚ ହୋଇରହିଛନ୍ତି।
ନୂଆପଲ୍ଲୀରେ ରଞ୍ଜିତ ଦାସପୁରିଆ ଏକ ପ୍ଲଟ୍ କିଣିଥିଲେ। କିନ୍ତୁ ତାହା ବିବାଦୀୟ ଜମି ହୋଇଥିବାରୁ ସେ ଦଖଲ ନେଇପାରୁନଥିଲେ। ଏନେଇ ମାମଲା କୋର୍ଟରେ ପହଞ୍ଚିଥିଲା। ଏଥିପାଇଁ ୩୫ ଲକ୍ଷ ଟଙ୍କା ଡିଲ୍ ହୋଇଥିଲା। ରାଘବ ଜେନା ଏଥିପାଇଁ ନକୁଳ ମହାକୁଡ଼ ବାଉନ୍ସର ଗ୍ୟାଙ୍ଗ୍ ସହ ଲକ୍ଷ୍ମୀସାଗର ଅଞ୍ଚଳର ପଞ୍ଜାବୀ ଲେଡି ଡନ୍ ଜ୍ୟୋତି ମାଥାନକୁ ନିୟୋଜିତ କରିଥିଲା। ମାର୍ଚ୍ଚ ୨୪ ତାରିଖ ସନ୍ଧ୍ୟାରେ ଏନେଇ ପାଣ୍ଡରା ନିକଟସ୍ଥ ନବ ଗେଷ୍ଟ ହାଉସ୍ରେ ସମସ୍ତେ ଏକାଠି ହୋଇଥିଲେ। ବିଳମ୍ବିତ ରାତି ପ୍ରାୟ ୨ଟାରେ ସବୁ ଗ୍ୟାଙ୍ଗର ପ୍ରାୟ ଶହେ ମହିଳା ଓ ପୁରୁଷ ନୂଆପଲ୍ଲୀରେ ପହଞ୍ଚି ଗୋଟିଏ ହାର୍ଡ ୱେୟାର୍ ଓ ଗୋଟିଏ ପ୍ଲାଏଉଡ୍ ଦୋକାନକୁ ଲୁଟିବା ସହ ଜେସିବିରେ ଭାଙ୍ଗି ମାଟିରେ ମିଶାଇ ଦେଇଥିଲେ।