ଶାରୀରିକ ସମ୍ପର୍କ ରଖିବା ପରେ ଠକିଦେଲେ ପୁଲିସ ବାବୁ

ଭୁବନେଶ୍ବର ୨୯/୦୩ : ‘୭ ବର୍ଷ ଶାରୀରିକ ସମ୍ପର୍କ ରଖିବା ପରେ ଠକିଦେଇଛନ୍ତି ପୁଲିସ ବାବୁ। ଶାରୀରିକ ସମ୍ପର୍କ ରଖିବା ସହ ଟଙ୍କା ପଇସା, ଗହଣାଗାଣ୍ଠି ନେଇ ଛୁ’ ମାରିଛନ୍ତି ଠକ ପ୍ରେମିକ କନେଷ୍ଟବଳ ।’ ଏମିତି ଏକ ସଂଗିନ୍‌ ଅଭିଯୋଗ ନେଇ ଭୁବନେଶ୍ବର ଡିସିପିଙ୍କ କାର୍ଯ୍ୟାଳୟକୁ ଆସିଥିଲେ ଯୁବତୀ। ଡିସିପି କାର୍ଯ୍ୟାଳୟରେ ନଥିବା ବେଳେ ଅନ୍ୟ ଅଧିକାରୀମାନେ ତାଙ୍କ ଅଭିଯୋଗକୁ ଗ୍ରହଣ କରିବା ସହ ତଦନ୍ତ କରିବାକୁ ମଞ୍ଚେଶ୍ବର ଥାନାକୁ ନିର୍ଦ୍ଦେଶ ଦେଲେ। କିନ୍ତୁ ଅଭିଯୁକ୍ତ ଏହି ମାମଲାରେ ଜାମିନ୍‌ରେ ଥିବା ଜଣାପଡ଼ିବା ପରେ ଯୁବତୀ ଫେରିଯାଇଥିଲେ।

କଟକ ଷଷ୍ଠ ବାଟାଲିଅନ୍‌ରେ କନେଷ୍ଟବଳ ଥିବା ପ୍ରୀତିରଞ୍ଜନ ଓ ସେ ଲିଭ୍‌-ଇନ୍‌ରେ ୭ବର୍ଷ କାଳ କଟାଇଥିଲେ । ସେମାନେ ବିବାହ କରିବେ ବୋଲି ନିଷ୍ପତ୍ତି ନେଇସାରିଥିଲେ। କିନ୍ତୁ ଗତ ବର୍ଷ ଏପ୍ରିଲ୍‌ ମାସରୁ ସେ ଅନ୍ୟତ୍ର ରହୁଛନ୍ତି। ପ୍ରତାରଣାର ଶିକାର ହେବା ନିଶ୍ଚିତ ହେବା ପରେ ସେ ପ୍ରୀତିରଞ୍ଜନଙ୍କ ଗାଁ କଟକ ଜିଲ୍ଲା କାନପୁର ଥାନା ଅଞ୍ଚଳରେକୁ ଯାଇଥିଲେ। କିନ୍ତୁ ତାଙ୍କ ପରିବାରଲୋକେ ତାଙ୍କୁ ଜାତି ଗୋତ୍ର ନାଁରେ ଗାଳି କରି ତଡ଼ି ଦେଇଥିଲେ। ତେଣୁ ସେ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପ୍ରୀତିରଞ୍ଜନ ପୁଲିସ କର୍ମଚାରୀ ହୋଇଥିବାରୁ ଥାନା କର୍ତ୍ତୃପକ୍ଷ ତାଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନେଲାନାହିଁ। ସେ ହତାଶ ହେବା ପରେ ନ୍ୟାୟ ପାଇଁ ଡିସିପିଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏନେଇ ମଞ୍ଚେଶ୍ବର ଥାନା ପକ୍ଷରୁ କୁହାଯାଇଛି ଯେ ଅଭିଯୁକ୍ତ ପ୍ରୀତିରଞ୍ଜନଙ୍କ ନାଁରେ ମାମଲା ରୁଜୁ ହୋଇଛି ଏବଂ ଏବେ ସେ ଜାମିନ୍‌ରେ ଅଛନ୍ତି।