ଆଇପିଏଲ୍‌-୨୦୨୩ : ଆଜି ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ କୋଲକାତା ନାଇଟ୍‌ ରାଇଡର୍ସ

0

ମୁମ୍ବାଇ ୧୬/୦୪: ଆଇପିଏଲ୍‌-୨୦୨୩ ରବିବାର ଘରୋଇ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଏହି ମ୍ୟାଚ୍‌କୁ ନେଇ ମୁମ୍ବାଇ ଇଣ୍ଡିଆନ୍ସ ଜୋରଦାର ପ୍ରସ୍ତୁତି କରିଛି । ନାଇଟ୍‌ ରାଇଡର୍ସକୁ ଅଭ୍ୟାସ କରିବା ପାଇଁ ସମୟ ମିଳିନାହିଁ । ଦିନକ ତଳେ ସନରାଇଜର୍ସ ଠାରୁ ପରାଜିତ ହେବା ପରେ ନାଇଟ୍‌ ରାଇଡର୍ସ ଦଳ ଶନିବାର ମୁମ୍ବାଇରେ ପହଞ୍ଚି ବିଶ୍ରାମ ନେଇଛନ୍ତି ।

ନାଇଟ୍‌ ରାଇଡର୍ସ ୪ଟି ମ୍ୟାଚ୍‌ ଖେଳି ୨ଟି ବିଜୟ ସହ ମୋଟ୍‌ ୪ ପଏଣ୍ଟ ହାସଲ କରିଛି । ମୁମ୍ବାଇ ଇଣ୍ଡିଆନ୍ସ ୩ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ ହାସଲ କରିଛି । ପଏଣ୍ଟ ତାଲିକାରେ ମୁମ୍ବାଇ ଇଣ୍ଡିଆନ୍ସ ନବମ ସ୍ଥାନରେ ରହିଛି । ତେଣୁ ଯଥା ସମ୍ଭବ ବିଜୟ ହାସଲ କରି ପଏଣ୍ଟ ବୃଦ୍ଧି କରିବାକୁ ମୁମ୍ବାଇ ଇଣ୍ଡିଆନ୍ସ ପ୍ରୟାସ କରିବ । ବାରମ୍ବାର ଲଢୁଆ ପ୍ରଦର୍ଶନ କରି ପ୍ରଶଂସା ସାଉଁଟିଥିବା ନାଇଟ ରାଇଡର୍ସ ମଧ୍ୟ କଡା଼ ଟକ୍କର ଦେବାକୁ ପ୍ରସ୍ତୁତ ରହିଛି ।

ଘରୋଇ ଗ୍ରାଉଣ୍ଡ ଓ ଦର୍ଶକଙ୍କ ଗହଣରେ ଖେଳୁଥିବାରୁ ମୁମ୍ବାଇ ଇଣ୍ଡିଆନ୍ସର ପଲା ଭାରି ରହିବ । ପୂର୍ବ ରେକର୍ଡ ମଧ୍ୟ ଘରୋଇ ଦଳ ପକ୍ଷରେ ରହିଛି । ଆଇପିଏଲ ଇତିହାସରେ ଉଭୟ ଦଳ ପରସ୍ପରକୁ ୩୧ଥର ଭେଟିଛନ୍ତି । ଏଥିରୁ ମୁମ୍ବାଇ ଇଣ୍ଡିଆନ୍ସ ୨୨ଟି ମ୍ୟାଚ୍‌ ଜିତିଥିବାବେଳେ ନାଇଟ ରାଇଡର୍ସ ୯ଟି ମ୍ୟାଚ୍‌ରେ ବିଜୟ ହାସଲ କରିଛି । ୨୦୧୭ରେ ଉଭୟ ଦଳ ସର୍ବାଧିକ ୩ଥର ଭେଟିଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ସମସ୍ତ ମ୍ୟାଚ୍‌ ଜିତିଥିଲା ।

ସୂର୍ଯ୍ୟକୁମାର ନିରାଶ କରିଥିଲେ ହେଁ ନାଇଟ ରାଇଡର୍ସ ପାଇଁ ଭୟର କାରଣ ହେବେ । ସୁନିଲ ନାରାଏନ, ବରୁଣ ଚକ୍ରବର୍ତ୍ତୀ ଓ ସୂୟାଶ ଶର୍ମାଙ୍କ ସ୍ପିନ ବୋଲିଂ ଉପରେ ନାଇଟ ରାଇଡର୍ସ ମୁଖ୍ୟତଃ ନିର୍ଭର କରୁଛି । ସୂର୍ଯ୍ୟକୁମାର ଫର୍ମକୁ ଫେରିଲେ ଏହି ୩ ସ୍ପିନରଙ୍କ ଭାଗ୍ୟ ସଂକଟାପନ୍ନ କରିଦେବେ । ଉମେଶ ଯାଦବ, ଆନ୍ଦ୍ରେ ରସେଲ, ଟିମ ସାଉଦିଙ୍କ ବିପକ୍ଷରେ ମଧ୍ୟ ସୂର୍ଯ୍ୟକୁମାରଙ୍କ ପ୍ରଦର୍ଶନ ଉନ୍ନତ ରହିଛି ।

ୱାଙ୍ଖଡ଼େ ପିଚ୍‌ ବ୍ୟାଟିଂ ପାଇଁ ବେଶ୍‌ ଅନୁକୂଳ । ଫଳରେ ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । ଚଳିତ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ୱାଙ୍ଖଡ଼େରେ ଦ୍ୱିତୀୟ ମ୍ୟାଚ୍‌ ଖେଳିବାକୁ ଯାଉଛି । ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍‌ସ ଠାରୁ ପରାଜିତ ହୋଇଥିଲା ।

SBI AD
Leave A Reply

Your email address will not be published.