ଦେଶରେ ମୋଦୀ ସରକାରଙ୍କ ଦ୍ଵିତୀୟ କାର୍ଯ୍ୟକାଳର ପ୍ରଥମ ବର୍ଷ ପୂର୍ତ୍ତି : ମିଳିଛି ଅନେକ ସଫଳତା

ଭୁବନେଶ୍ୱର,୩୦/୫: ଦେଶରେ ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ବର୍ଷ ଆଜି ପୂରଣ ହୋଇଛି। ୨୦୧୯ ମସିହା ମେ ୩୦ ତାରିଖରେ ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀ ଓ ମନ୍ତ୍ରିମଣ୍ଡଳ ଶପଥ ନେଇଥିଲେ । ଦେଶରେ କରୋନା ସଂକଟ ଦେଖାଦେଇଥିବାରୁ ପ୍ରଥମ ବାର୍ଷିକ ଉତ୍ସବକୁ ଆଜି ନିରାଡମ୍ବର ଭାବେ ପାଳନ କରାଯାଉଛି। ବିଜେପି ପକ୍ଷରୁ ଭର୍ଚୁଆଲ ରାଲି ଏବଂ ଲୋକଙ୍କ ପାଖରେ ପହଞ୍ଚିବା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଦ୍ବିତୀୟ ପାଳିର ପ୍ରଥମ ବର୍ଷରେ ମୋଦୀ ସରକାର ହାସଲ କରିଥିବା ସଫଳତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ। ତେବେ ଲୋକାଲସର୍କଲ୍‌ସ ନାମକ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରେ ଦର୍ଶାଯାଇଛି ଯେ ମୋଦୀ ସରକାରଙ୍କ କାର୍ଯ୍ୟରେ ୬୨ ପ୍ରତିଶତ ଲୋକ ଖୁସି ଅଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି ଯେ, ଆପାଣମାନେ ପ୍ରମାଣିତ କରିଛନ୍ତି ଯେ, ଭାରତୀୟମାନଙ୍କର ସାମୂହିକ ବଳ ଓ ସାମର୍ଥ୍ୟ ବିଶ୍ୱର ଅନ୍ୟ ଶକ୍ତିଶାଳୀ ଓ ବିକଶିତ ଦେଶ ତୁଳନାରେ ବହୁ ଆଗରେ । ଏତେ ବଡ଼ ସଂକଟ ସମୟରେ କାହାରିକୁ କୌଣସି ଅସୁବିଧା ହୋଇଛି ବୋଲି ଦାବି କରାଯାଇ ନାହିଁ । ଛୋଟ ଛୋଟ ଶିଳ୍ପରେ କାମ କରୁଥିବା ଶ୍ରମିକ, ପ୍ରବାସୀ ଶ୍ରମିକ, ମିସ୍ତ୍ରୀ ଓ କର୍ମଜୀବୀଙ୍କ ସହ ହକର୍ସ ଓ ଅନ୍ୟ ଦେଶବାସୀ ଅସାଧାରଣ କଷ୍ଟ ସହ୍ୟ କରିଛନ୍ତି ।

ନିଜ ସରକାରର ବିସ୍ତୃତ ବିବରଣୀ ଦେଇଛନ୍ତି ମୋଦୀ । ସେ କହିଛନ୍ତି, ଦେଶର ମଙ୍ଗଳ ପାଇଁ ଐତିହାସିକ ପଦକ୍ଷେପ ନିଆଯାଇଛି । ସେ କହିଛନ୍ତି, ଚଳିତ ବର୍ଷ ମୋ ସରକାର ପ୍ରତ୍ୟେକ ଦିନ ଚବିଶ ଘଣ୍ଟା ପୂରା ବଳ ଲଗାଇ ଉତ୍ସାହର ସହିତ କାମ କରିଛି ।

ପ୍ରଧାନମନ୍ତ୍ରୀ ମୋଦୀ ସର୍ଜିକାଲ ଷ୍ଟ୍ରାଇକ ଓ ଏୟାର ଷ୍ଟ୍ରାଇକ ଭଳି ପାକିସ୍ତାନ ବିରୋଧରେ ନିଆଯାଇଥିବା ପଦକ୍ଷେପ ନେଇ ସନ୍ତୋଷ ଅନୁଭବ କରିଛନ୍ତି । ଏଥି ସହିତ ସେ ରାମ ମନ୍ଦିର ଉପରେ ସୁପ୍ରିମ କୋର୍ଟଙ୍କ ରାୟ ଓ ଟ୍ରିପଲ ତଲାକକୁ ବର୍ବର ପ୍ରଚଳନ ଦର୍ଶାଇ ବେଆଇନ କହିବାକୁ ଅଭିନନ୍ଦନ ଜଣାଇଛନ୍ତି । ସେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବାକୁ ନେଇ କହିଛନ୍ତି, ଏହା ଦ୍ୱାରା ଜାତୀୟ ଏକତା ଓ ଅଖଣ୍ଡତା ମଜବୁତ ହେବ ।