ଭୁବନେଶ୍ୱର: ବାଲେଶ୍ୱରଠାରେ ଆଜି ଜାତୀୟ କନ୍ୟାସନ୍ତାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଚେତନତା ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସୃଷ୍ଟିର ଆରମ୍ଭ ହେଉଛି ମାଆ । ତେଣୁ କନ୍ୟାସନ୍ତାନ ଜନ୍ମଦେବାକୁ କୁଣ୍ଠାବୋଧ କରିବା, ଜାଣିଶୁଣି ଲିଙ୍ଗ ନିରୂପଣ କରି ଗର୍ଭସ୍ଥ ଶିଶୁକନ୍ୟାକୁ ମାରିଦେବା ଏବଂ ସର୍ବୋପରି ଶାରୀରିକ-ମାନସିକ ନିର୍ଯ୍ୟାତନା ଦେବା ଅତ୍ୟନ୍ତ ନିନ୍ଦନୀୟ ।
ଏହାକୁ ରୋକିବା ପାଇଁ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବା ଉଚିତ୍ ବୋଲି ଶ୍ରୀ ମହାପାତ୍ର କହିଥିଲେ । ଆୟୋଜିତ ଶୋଭାଯାତ୍ରାରେ ଭାଗ ନେଇଥିବା ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀମାନେ କନ୍ୟା ସନ୍ତାନ ସୁରକ୍ଷା ଓ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ବଳିତ ପ୍ଲା-କାର୍ଡ ଧରି ସ୍ଲୋଗାନ୍ ଦେଇ ସହର ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ ।
