ଡେରାଡୁନ : ଉତ୍ତରାଖଣ୍ଡ ହଲ୍ଲାଦ୍ଦୁନି ଜେଲରେ ୪୪ କଏଦୀ ଏଚଆଇଭି ପଜିଟିଭ୍ । ଉତ୍ତରାଖଣ୍ଡର ସୁଶିଳା ତିଓ୍ବାରୀ ହସ୍ପିଟାଲ ପକ୍ଷରୁ ଏହି ସମ୍ବେଦନଶୀଳ ରିପୋର୍ଟ ପ୍ରକାଶ ପାଇଛି। ଏମାନଙ୍କ ମଧ୍ୟରେ ଜଣେ ମହିଳା କଏଦୀ ରହିଥିବା ବେଳେ ୪୩ଜଣ ପୁରୁଷ ସଂକ୍ରମିତ ରହିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଜେଲ୍ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢିଯାଇଛି ।
ହଲ୍ଲାଦ୍ଦୁନି ଜେଲ୍ରେ ଲଗାତାର ଏଚ୍ଆଇଭି ପଜିଟିଭ୍ କଏଦୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଡା. ସିଂହ କହିଛନ୍ତି, ଏଚ୍ଆଇଭି ରୋଗୀଙ୍କ ଚିକିତ୍ସା ପାଇଁ ଏକ ଏଆରଟି ସେଣ୍ଟର ଖୋଲାଯାଇଛି । ସେଠାରେ ସଂକ୍ରମିତ ରୋଗୀଙ୍କୁ ଡାକ୍ତରୀଦଳ ଉତ୍ତମ ଚିକିତ୍ସା ଯୋଗାଇ ଦେଉଛନ୍ତି । ଏହା ସହିତ ଯେଉଁ କଏଦୀମାନଙ୍କ ଏଚ୍ଆଇଭି ପିଜିଟିଭ୍ ରିପୋର୍ଟ ଆସୁଛି ସେମାନଙ୍କୁ ଜାତୀୟ ଏଡସ୍ ନିୟନ୍ତ୍ରଣ ସଂଗଠନ ଦିଶା ନିର୍ଦ୍ଦେଶ ଆଧାରରେ ସମସ୍ତଙ୍କୁ ମାଗଣାରେ ଚିକିତ୍ସା ସହିତ ଔଷଧ ଯୋଗାଇ ଦିଆଯାଉଛି ।
ଡା. ପରମଜିତ୍ ସିଂହ କହିଛନ୍ତି, ହଲ୍ଲାଦ୍ଦୁନି ଜେଲ୍ରେ ବର୍ତ୍ତମାନ ୧, ୬୨୯ଜଣ ପୁରୁଷ ଏବଂ ୭୦ଜଣ ମହିଳା ରହିଛନ୍ତି । ଏତେ ସଂଖ୍ୟାରେ ସଂକ୍ରମିତ କଏଦୀ ଚିହ୍ନଟ ହେବା ପରେ ଜେଲ୍ ପ୍ରଶାସନ ସମସ୍ତଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି । ଏଚ୍ଆଇଭି ପଜିଟିଭ୍ ଆକ୍ରାନ୍ତଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି ବୋଲି ସୁଶିଳା ତିଓ୍ବାରୀ ହସ୍ପିଟାଲର ଡାକ୍ତର କହିଛନ୍ତି ।
