ଏଣିକି ସବୁ ସରକାରୀ ସ୍ୱାସ୍ଥ୍ୟ ଉପ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମିଳିବ ମାଗଣା ସ୍ୱାସ୍ଥ୍ୟ ସେବା । ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସଂକ୍ରାନ୍ତ ନିଷ୍ପତ୍ତି ନିଆଯାଇଥିଲା। ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମ ସଂପର୍କରେ ବିଶଦ ଘୋଷଣା କରିଥିଲେ। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହି ଯୋଜନାକୁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କୁହାଯାଉଛି। ସରକାରଙ୍କ ଘୋଷଣା ଅନୁଯାୟୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ୱାସ୍ଥ୍ୟ ଉପ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ମାଗଣା ଚିକିତ୍ସା ସେବା ଉପଲବ୍ଧ ହେବ। ରାଜ୍ୟର ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକରେ ବାର୍ଷିକ ପ୍ରାୟ ୪.୮୪ କୋଟି ରୋଗୀ ଉପସ୍ଥାନକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ରୋଗ ପାଇଁ ବିନା ମୂଲ୍ୟରେ ସ୍ୱାସ୍ଥ୍ୟସେବା ଓ ଔଷଧ ଉପଲବ୍ଧ ହେବ। ଏଥି ସହ ଡାକ୍ତରଖାନାରେ ଆଦାୟ ହେଉଥିବା ସମସ୍ତ ପ୍ରକାର ୟୁଜର୍ସ ଫି ବନ୍ଦ କରାଯିବ।