ନୂଆଦିଲ୍ଲୀ, ୧୬/୦୫ : ସାରା ଦେଶରେ ଚହଳ ପକାଇଥିବା NEET-UG ୨୦୨୬ ପ୍ରଶ୍ନପତ୍ର ଲିକ୍ ମାମଲାରେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (CBI) କୁ ମିଳିଛି ଏକ ବଡ଼ ସଫଳତା। ଏହି ଦୁର୍ନୀତିର ମୁଖ୍ୟ ସୂତ୍ରଧର ତଥା ମାଷ୍ଟରମାଇଣ୍ଡକୁ CBI ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ପରିଚୟ ପି.ଭି. କୁଲକର୍ଣ୍ଣି ଭାବେ ଜଣାପଡ଼ିଛି । ପୁଣେରେ ଜଣେ କେମିଷ୍ଟ୍ରି ଲେକ୍ଚରର ଭାବେ କାର୍ଯ୍ୟ କରୁଥିଲେ। CBI ତଦନ୍ତରୁ ଜଣାପଡ଼ିଛି ଯେ, କୁଲକର୍ଣ୍ଣି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA)ର ପରୀକ୍ଷା ପ୍ରକ୍ରିୟା ସହ ଜଡ଼ିତ ଥିଲେ। ନିଜ ପଦବୀର ଦୁରୁପଯୋଗ କରି ସେ ପ୍ରଶ୍ନପତ୍ର ଗୁଡ଼ିକୁ ପରୀକ୍ଷା ପୂର୍ବରୁ ହାସଲ କରିନେଇଥିଲେ। ଏଥିରେ ତାଙ୍କୁ ମନିଷା ୱାଘମାରେ ନାମକ ଜଣେ ମହିଳା ସାହାଯ୍ୟ କରିଥିଲେ, ଯାହାଙ୍କୁ CBI ଗତ ମଇ ୧୪ରେ ଗିରଫ କରିସାରିଛି।
ଏପ୍ରିଲ୍ ମାସର ଶେଷ ସପ୍ତାହରେ କୁଲକର୍ଣ୍ଣି କିଛି ଚୟନ କରାଯାଇଥିବା ଛାତ୍ରଛାତ୍ରୀଙ୍କୁ ନିଜ ପୁଣେ ସ୍ଥିତ ବାସଭବନକୁ ଡକାଇଥିଲେ। ସେଠାରେ ସେ ଏକ ସ୍ୱତନ୍ତ୍ର କୋଚିଂ କ୍ଲାସ୍ ଚଳାଇଥିଲେ, ଯେଉଁଠି ପରୀକ୍ଷାରେ ଆସିବାକୁ ଥିବା ପ୍ରଶ୍ନ ଓ ତାର ସଠିକ୍ ଉତ୍ତର ସେ ଛାତ୍ରଛାତ୍ରୀଙ୍କୁ ବତାଉଥିଲେ। ଛାତ୍ରଛାତ୍ରୀମାନେ ସେହି ସବୁ ପ୍ରଶ୍ନକୁ ନିଜ ନୋଟବୁକ୍ରେ ଲେଖି ରଖିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଛାତ୍ରଛାତ୍ରୀଙ୍କ ଖାତାରେ ଲେଖାଯାଇଥିବା ପ୍ରଶ୍ନ ଏବଂ ମଇ ୩ରେ ହୋଇଥିବା ପ୍ରକୃତ NEET ପରୀକ୍ଷାର ପ୍ରଶ୍ନପତ୍ର ସମାନ ଥିଲା। ଏହି ପ୍ରମାଣ ମିଳିବା ପରେ CBI ନିଶ୍ଚିତ ହୋଇଛି ଯେ, ପେପର ଲିକ୍ର ଚେର ସିଧାସଳଖ ପରୀକ୍ଷା ପରିଚାଳନା କରୁଥିବା ଲୋକଙ୍କ ସହ ଜଡ଼ିତ। ଏହି ମାମଲାରେ CBI ଏବେ ସୁଦ୍ଧା ମୋଟ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଲାଣି। ଏହି ଗିରଫଦାରୀ ଜୟପୁର, ଗୁରୁଗ୍ରାମ, ନାସିକ, ପୁଣେ ଏବଂ ଅହିଲ୍ୟାନଗରରୁ ହୋଇଛି।