ବୋଲଗଡ଼: ଖୋର୍ଦ୍ଧା ଜିଲା ବୋଲଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଶିକ୍ଷକଙ୍କ ଅଭିଯୋଗ ଶୁଣାଣି ପରେ ସମାଧାନ କରିବାରେ ଅବହେଳା କାରଣରୁ ଦୁଇ ଅଧିକାରୀ ଓ ଜଣେ କିରାଣୀଙ୍କ ନଭେମ୍ବର ମାସଠାରୁ ଦରମା ବନ୍ଦ କରାଯାଇଛି । ଦରମା ପ୍ରଦାନକାରୀ ଅଧିକାରୀ ତଥା ବିଇଓ ଡଃ ନିରଞ୍ଜନ ମହାନ୍ତି ବଳକାଥିବା ଅଭିଯୋଗ ଗୁଡିକର ସମାଧାନ ନହେବା ପର୍ଯ୍ୟନ୍ତ ଦୃଷ୍ଟାନ୍ତମୂଳକ ଭାବେ ସଂପୃକ୍ତ କର୍ମଚାରୀଙ୍କ ଦରମା ବନ୍ଦ ରଖିବାକୁ ନିର୍ଦ୍ଧେଶ ଦେଇଛନ୍ତି ।
ସୂଚନା ଅନୁଯାୟୀ, ବୋଲଗଡ଼ ଶିକ୍ଷା ବ୍ଲକ ଅଧୀନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରୁଥିବା ୫୯୬ ଜଣ ଗଣଶିକ୍ଷୟିତ୍ରୀ, ଶିକ୍ଷକଙ୍କ ବିଭିନ୍ନ ଅଭିଯୋଗ ବିଚାରକୁ ନେଇ ସମାଧାନ ପ୍ରତ୍ୟେକ ମାସର ପ୍ରଥମ ଶନିବାର ଏବଂ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ,ଶିକ୍ଷକଙ୍କ ପାଇଁ ମାସର ତୃତୀୟ ଶିନିବାର ଓ ଅଭିଯୋଗ ଶୁଣାଣି କରାଯିବାର ବ୍ୟବସ୍ଥା ଚଳିତବର୍ଷ ଜାନୁଆରୀ ମାସରୁ ଆରମ୍ଭ କରାଯାଇଥିବା ବେଳେ ୧୫ଦିନ ମଧ୍ୟରେ ଏହାର ସମାଧାନର ପନ୍ଥା ବାହର କରି ସୁଚନା ଦେବାପାଇଁ ନିର୍ଦ୍ଧାରିତ ହୋଇଥିଲା । ଏହି ଅଭିଯୋଗ ଶୁଣାଣି କରି ନିଷ୍ପରି ନେବାରେ ବ୍ଲକ ଶିକ୍ଷାଧିକାରୀଙ୍କୁ ସହ ଗୋଷ୍ଠୀ ଶିକ୍ଷାଧିକାରୀ ପଦ୍ମଚରଣ ବେହେରା ଓ କିରାଣୀ ସହଯୋଗ କରିବାକୁ ନିର୍ଦ୍ଧେଶ ଥିଲା ତେବେ ନଭେମ୍ବର ମାସ ଶେଷ ସୁଦ୍ଧା ଅଭିଯୋଗ ହୋଇଥିବା ୬୪ଟି କେସ ମଧ୍ୟରୁ ୫୫ଟିର ସମାଧାନ ହୋଇଥିବା ବେଳେ ଅନ୍ୟ ୯ଟି କେସ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମାଧାନ ହୋଇପାରିନାହିଁ ।
ଏହା ମଧ୍ୟରେ ବକେୟା ମହଙ୍ଗା ଭତ୍ତା, ବାର୍ଷିକ ବର୍ଦ୍ଧିତ ଭତ୍ତା, ଅର୍ଜିତ ଛୁଟି ବାବଦ ବକେୟା ଦରମା, ସପ୍ତମ ବେତନ କମିସନ ଅନୁଯାୟୀ ବିଭିନ୍ନ ବର୍ଗର ବକେୟା ପ୍ରାପ୍ୟ ପ୍ରଦାନ ଆଦି ଅଭିଯୋଗ ଅନ୍ତର୍ଭୁକ୍ତ ଥିଲାବେଳେ ସଂପୃୁକ୍ତ କର୍ମଚାରୀ ମାନଙ୍କ ଅବହେଳା ଅସହଯୋଗ ଓ ସମନ୍ୱୟ ଅଭାବ କାରଣରୁ ସମାଧାନ ବିଳମ୍ବିତ ହୋଇଛି । ଏଥିନେଇ ଗୋଷ୍ଠି ଶିକ୍ଷାଧିକାରୀ ନିଜର ଦରମା ସହ ଏବିଇଓ ପଦ୍ମଚରଣ ବେହେରା ଓ କିରାଣୀ ସେଖ ମୁନିରଙ୍କ ଦରମା ବନ୍ଦ ରଖି ଏହି ଅଭିଯୋଗ ଗୁଡିକର ସମାଧାନ ପରେ ପ୍ରଦାନ କାରାଯିବା ପରି ଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ।