ପୁରୀ ବଡଦାଣ୍ଡରେ ୨ ଦିନ ଉଠା ଦୋକାନୀଙ୍କୁ ବସିବା ମନା : ପ୍ରସାଶନ

ପୁରୀ,୩୦/୧୨ :  ନୂଆବର୍ଷରେ ଛୁଟି କଟାଇବା ଲାଗି ଦେଶର ବିଭିନ୍ନ ପ୍ରାନ୍ତରୁ ପୁରୀକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି । ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ଲାଗି ସମଗ୍ର ସହର ଏବେ ଲୋକାରଣ୍ୟ ହୋଇ ଉଠିଛି । ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନେ ଶ୍ରୀମନ୍ଦିର, ବେଳାଭୂମି ସମେତ ଚିଲିକା ଓ କୋଣାର୍କ ଆଦି ବୁଲି ଦେଖିବା ପାଇଁ ଭିଡ ଜମାଇଛନ୍ତି । ଚଳିତ ବର୍ଷ ନୂଆବର୍ଷ ପାଳନ ଲାଗି ପୁରୀରେ ପ୍ରାୟ ୧୦ ଲକ୍ଷ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି ।

ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ଏଥିସହିତ ପୁରୀରରେ ୨ ଦିନିଆ କଟକଣା ମଧ୍ୟ ଜାରୀ ରଖିଛନ୍ତି । ଫଳରେ ଭକ୍ତମାନଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାରୁ ପଡିବ ନାହିଁ । ତେବେ ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମାର୍କେଟ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ନୋ ଭେଣ୍ଡି ଜୋନ୍ କରାଯାଇଛି ।

ପୁରୀରେ ଏହି କଟକଣା ୨ ଦିନ ପାଇଁ ବଳବତ୍ତର ରହିବ । ଅର୍ଥାତ ଡିସେମ୍ବର ୩୧ ତାରିଖ ଏବଂ ଜାନୁଆରୀ ୧ ଚାରିଖ ପାଇଁ ଏହି କଟକଣା ଜାରୀ ରହିବ । ତେବେ ତାଳବଣିଆ, ଷ୍ଟର୍ଲିଂ ନିକଟ ଓ ଜଗନ୍ନାଥବଲ୍ଲଭରେ କାର ପାର୍କିଂର ବ୍ୟବସ୍ତା କରିଛି ପୁରୀ ପ୍ରଶାସନ । ଏଥିସହିତ ବଡଶଙ୍ଖଠାରୁ ଶରଧାବାଲି ଯାଏଁ ଦୁଇଟକିଆ ଯାନ ପାଇଁ ପାର୍କିଂ ବ୍ୟବସ୍ଛା କରାଯାଇଛି । ଏତତ୍ ବ୍ୟତୀତ ଏହି ୨ ଦିନ ବଡଦାଣ୍ଡରେ ଉଠା ଦୋକାନୀଙ୍କୁ ବସିବା ଉପରେ ମଧ୍ୟ କଟକଣା ଜାରୀ ହୋଇଛି । ସିଂହ ଦ୍ୱାର ନିକଟରେ ବୟସ୍କ ବ୍ୟକ୍ତି ଏବଂ ଦିବ୍ୟାଙ୍ଗଙ୍କ ପାଇଁ ବିଶ୍ରାମ ସ୍ଥଳୀର ବ୍ୟବସ୍ଥା ହୋଇଛି । ତେବେ ସ୍କୁଲ ପିଲା ଏବଂ ଛୋଟପିଲାମାନଙ୍କ ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି ।