ୱାଶିଂଟନ୍,୫/୬ : ଯୁକ୍ତରାଷ୍ଟ୍ର ଆମେରିକାରେ ବର୍ଣ୍ଣବୈଷମ୍ୟ ପ୍ରତିବାଦରେ ଗତ ୨୫ରୁ ଚାଲିଥିବା ବିକ୍ଷୋଭକୁ ପୂର୍ବତନ ରାଷ୍ଟ୍ରପତି ବରାକ୍ ଓବାମା ସମର୍ଥନ ଜଣାଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଗାମୀ ନିର୍ବାଚନରେ ଯୁବଶକ୍ତି ପରିବର୍ତ୍ତନ ସପକ୍ଷରେ ମତଦାନ କରିବାକୁ ସେ ଆହ୍ବାନ ଦେଇଛନ୍ତି। ବର୍ଣ୍ଣବୈଷମ୍ୟର କରାଳ ରୂପ ମୁଁ ଅନୁଭବ କରିଛି; ତେଣୁ ୧୯୬୦ ଦଶକ ପୂର୍ବ ସ୍ଥିତିକୁ ଫେରିବା ଚାହୁଁ ନାହିଁ। ଏବେ ପରିବର୍ତ୍ତନର ସମୟ ଆସିଛି ବୋଲି ଓବାମା କହିଛନ୍ତି; ତେବେ ବିକ୍ଷୋଭ ଶାନ୍ତିପୂର୍ଣ୍ଣ ହେବା ଉଚିତ ବୋଲି ସେ କହିଛନ୍ତି। ଏହି ବିକ୍ଷୋଭ ଯଥେଷ୍ଟ ନୁହେଁ; ନିର୍ବାଚନରେ ବିରୋଧ ପ୍ରତିଫଳିତ ହେବା ଆବଶ୍ୟକ ବୋଲି ସେ ବିକ୍ଷୋଭକାରୀଙ୍କୁ ପରାମର୍ଶ ଦେଇଛନ୍ତି। କୃଷ୍ଣକାୟ ଜର୍ଜ ଫ୍ଲଏଡଙ୍କୁ ସାମାନ୍ୟ ସିଗାରେଟ ବିକ୍ରି ପାଇଁ ନକଲି ବିଲ୍ ପ୍ରଦାନ ଅଭିଯୋଗରେ ପୁଲିସ ହାଜତରେ ପିଟିପିଟି ମାରିଦିଆଯିବା ପ୍ରତିବାଦରେ ମିନେପଲିସ ଓ ସେଣ୍ଟ ପଲ୍ ଅଞ୍ଚଳରୁ ଆରମ୍ଭ ହୋଇଥିବା ଏହି ବିକ୍ଷୋଭ ହିଂସ୍ର ହେବା ସହ ସାରାଦେଶକୁ ବ୍ୟାପିଛି।
ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ସୂଚନାନୁଯାୟୀ, ପୁଲିସ ମାଡ଼ରେ ମୃତ ଫ୍ଲଏଡ କରୋନା ସଂକ୍ରମିତ ଥିଲେ। ଏହା ତାଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି; ତେବେ ତାଙ୍କ ମୃତ୍ୟୁର ମୁଖ୍ୟ କାରଣ ବେକକୁ ଚାପି ଦିଆଯିବା ବୋଲି ଏଥିରେ ଦର୍ଶାଯାଇଛି। ଅପରପକ୍ଷରେ ଫ୍ଲଏଡଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ମିନେପଲିସ ପୁଲିସର ୪ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଫର୍ଦ ଦାଖଲ ହେବା ସହ ହତ୍ୟା ମାମଲା ଦାୟର କରାଯାଇଛି। ଏହି ୪ ଅଧିକାରୀ ହେଉଛନ୍ତି ଡେରିକ ଚୌଭିନ୍ (ଯେ କି ଫ୍ଲଏଡଙ୍କ ବେକକୁ ଆଣ୍ଠୁରେ ଚାପି ଧରିଥିଲେ), ଜେ. ଆଲେକଜାଣ୍ଡର କୁଏଙ୍ଗ, ଥୋମାସ ଲେନ୍ ଓ ଟୋ ଥାଓ। ଡେରିକଙ୍କ ବିରୋଧରେ ଅଧିକ କଡ଼ା ଦଫା (ଦ୍ବିତୀୟ ଡିଗ୍ରୀ ହତ୍ୟା) ଲଗାଯାଇଛି। ଏହାଦ୍ବାରା ତାଙ୍କୁ ଅନ୍ୟୂନ ୪୦ବର୍ଷ କାରାଦଣ୍ଡ ମିଳିପାରେ।