ଭୁବନେଶ୍ୱର, ୦୯/୦୬ : ଆକାଶରେ କଳାମେଘ, ଘନଘନ ବିଜୁଳି ଓ ଝଡ଼ତୋଫାନ ସହ ବର୍ଷା ଜନଜୀବନକୁ ପ୍ରଭାବିତ କରିବା ଆରମ୍ଭ କରିଛି। ଏଭଳି ପରିସ୍ଥିତି ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ (IMD) ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟର ୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଏବଂ ୧୧ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। କାଳବୈଶାଖୀ ପ୍ରଭାବରେ ଅନେକ ସ୍ଥାନରେ ବଜ୍ରପାତ, ଘଡ଼ଘଡ଼ି ସହ ବର୍ଷା ଏବଂ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲା ପାଇଁ ଆଗାମୀ ୩ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି IMD ସତର୍କ କରିଛି। ଏହି ଅଞ୍ଚଳଗୁଡ଼ିକରେ ତୀବ୍ର ବଜ୍ରପାତ, ଘନ ମେଘଗର୍ଜନ ଏବଂ କୁଆପଥର ବର୍ଷା ସହ ଝଡ଼ତୋଫାନ ହେବାର ଆଶଙ୍କା ରହିଛି। ଝଡ଼ ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୬୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ବୋଲି ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ଗଛପଡ଼ିବା, ବିଦ୍ୟୁତ୍ ତାର ଛିଣ୍ଡିବା ଓ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ପାଣିପାଗ ବିଭାଗ ଲୋକମାନଙ୍କୁ ଘର ଭିତରେ ସୁରକ୍ଷିତ ରହିବା, ଗଛ ତଳେ ଆଶ୍ରୟ ନ ନେବା ଏବଂ ଅତ୍ୟାବଶ୍ୟକ ନହେଲେ ବାହାରକୁ ନ ଯିବାକୁ ପରାମର୍ଶ ଦେଇଛି।