ଭୁବନେଶ୍ୱର,୩୧/୦୩: ୭ ଦିନିଆ ଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୋକିଓ, କ୍ୱୋଟୋ ଏବଂ ଓସାକାରେ ହେବାକୁ ଥିବା ବ୍ୟବସାୟିକ ସମ୍ମିଳନୀରେ ସେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟକୁ ବିଦେଶ ପୁଞ୍ଜିନିବେଶକାରୀଙ୍କୁ ଆମନ୍ତ୍ରଣ କରିବା ଉଦ୍ଦେଶ୍ୟରେ ନବୀନ ଜାପାନ ଗସ୍ତ କରୁଥିବା ଜଣାପଡ଼ିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନର କିଛି ବଡ଼ ଶିଳ୍ପପତିଙ୍କ ସହ ସାକ୍ଷାତ ଆଲୋଚନା କରିପାରନ୍ତି । ଓଡିଶାକୁ କିଭଳି ଅଧିକ ପୁଞ୍ଜିନିବେଶ ଆସିପାରିବ ସେଥିପାଇଁ ସେ ଏକାଧିକ ବାଣିଜ୍ୟିକ ସମ୍ମିଳନୀରେ ଯୋଗଦେବେ। ଖାଦ୍ୟ ପ୍ରକ୍ରିୟାକରଣ, କେମିକାଲ, ପ୍ଲାଷ୍ଟିକ, ପେଟ୍ରୋ କେମିକାଲ, ଟେକ୍ସଟାଇଲ୍, ପୋଷାକ ଓ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାରେ ଥିବା ବ୍ୟାପକ ପୁଞ୍ଜିନିବେଶ ସୁଯୋଗ ଓ ସମ୍ଭାବନାକୁ ନବୀନ ଉପସ୍ଥାପିତ କରିବେ। ଗତ ଡିସେମ୍ବରରେ ହୋଇଥିବା ଏହି ସମ୍ମେଳନରେ ଜାପାନରୁ ପୁଞ୍ଜିନିବେଶର ପ୍ରସ୍ତାବ ଆସିଥିଲା । ଏହି ପୁଞ୍ଜିନିବେଶ ପ୍ରସ୍ତାବ କାର୍ଯ୍ୟକାରୀର ଅଗ୍ରଗତିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ।
ନବୀନଙ୍କ ଏହି ଗସ୍ତ ଯୋଗୁ ଖାଲି ପୁଞ୍ଜିନିବେଶ ନୁହେଁ ବରଂ ଉଭୟ ଜାପାନ ଏବଂ ଓଡ଼ିଶା ଭିତରେ ଦ୍ୱିପାକ୍ଷିକ ବାଣିଜ୍ୟିକ କାରବାର ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି । ସେହିଭଳି କ୍ରୀଡ଼ା, ପର୍ଯ୍ୟଟନ ଓ ସାଂସ୍କୃତିକ ସମ୍ପର୍କ ମଧ୍ୟ ଆହୁରି ମଜବୁତ୍ ହେବ । ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ବରିଷ୍ଠ ଅଧିକାରୀ ଓ ରାଜ୍ୟର ଏକ ଶିଳ୍ପପତି ପ୍ରତିନିଧି ମଣ୍ଡଳୀ ମଧ୍ୟ ନବୀନଙ୍କ ସହ ଜାପାନ ଗସ୍ତ କରିବେ । ଗତ ୨୩ ବର୍ଷର ଶାସନ ଭିତରେ ନବୀନଙ୍କର ଏହା ତୃତୀୟ ବିଦେଶ ଗସ୍ତ ।
