ଭୁବନେଶ୍ୱର, ୩/୧: ମୁଣ୍ଡ ଉପରେ ନିର୍ବାଚନ । ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମୋହରା କରିଛନ୍ତି । ଲକ୍ଷ୍ୟ କେବଳ ଭୋଟ । ଏ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆଉ ବର୍ଷେ ମାଗଣା ଚାଉଳ ଦେବା ପାଇଁ ଘୋଷଣା କରିଛନ୍ତି ।
ଜାନୁଆରୀରୁ ଡିସେମ୍ବର ପର୍ଯ୍ୟନ୍ତ ମୁଣ୍ଡପିଛା ମିଳିବ ୫ କେଜି ମାଗଣା ଚାଉଳ । ରାଜ୍ୟ ରାଜକୋଷରୁ ଏବାବଦରେ ଖର୍ଚ୍ଚ ହେବ ୧୮୫ କୋଟି । ୨୦୧୮ରୁ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମିଳୁଛି ମାଗଣା ଚାଉଳ । ମହାମାରୀ କରୋନା ସମୟରେ ୨୮ ମାସ ଧରି ରାଜ୍ୟ ସରକାର ମାଗଣାରେ ଚାଉଳ ଯୋଗାଇ ଆସୁଛନ୍ତି ।
ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ରାଜ୍ୟ ସରକାର ନିଜ ତରଫରୁ ଯୋଗାଇ ଆସୁଛନ୍ତି । ଜାତୀୟ ଓ ରାଜ୍ୟ ହିତାଧିକାରୀଙ୍କୁ ୧ ହଜାର ଟଙ୍କା ଲେଖାଏଁ ସହାୟତା ମିଳିଛି । ଏବେ ପୁଣିଥରେ ବର୍ଷେ ମାଗଣା ଚାଉଳ ମିଳିବା ପରେ ଏବେ ଲକ୍ଷ ଲକ୍ଷ ହିତାଧିକାରୀ ଉପକୃତ ହେବେ । ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ନାମ ଲେଖାଇଥିବା ହିତାଧିକାରୀଙ୍କୁ ଏହି ସୁବିଧା ମିଳିବ।
