ପାଇକା ନଦୀରେ ବନ୍ୟା ଜଳସ୍ତର ବୃଦ୍ଧି ନେଇ ଆଶଙ୍କାରେ ୬ ପଂଚାୟତର ଚାଷୀ

ମହାକାଳପଡ଼ା,୩୦ /୮: (କେଶବ ଚନ୍ଦ୍ର ନାଥ) – ସମ୍ଭାବ୍ୟ ବନ୍ୟାକୁ ଆଖି ଆଗରେ ରଖି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକର ପାଇକା ନଦୀ ଅବବାହିକାରେ ଅବସ୍ଥିତ ତୀଖିରି, ଅମେଇପାଳ, ଖୁରୁସିଆ, ପାଟଳିପଙ୍କ, ଟିକରପଙ୍ଗl , ଗଡ଼ରୋମିତ ପଂଚାୟତର ଲୋକେ ନଦୀରେ ଜଳସ୍ତର ବୃଦ୍ଧି ନେଇ ଚିନ୍ତାରେ ଅଛନ୍ତି । ମୁଗ ଫସଲ ଅମଳ ସମୟରେ ଅଦିନିଆ ବର୍ଷା, ଖରାଦିନିଆ ପନିପରିବା ଅମଳ ବେଳେ କରୋନା ମାଡ଼ ଓ ଖରିଫ ଚାଷ ସରିବା ପରେ ଲଗୁଚାପ ବର୍ଷା ସାଙ୍ଗକୁ ବନ୍ୟା ଜଳରେ ଧାନ ଜମି ପ୍ଲାବିତ ହୋଇଛି । ଚଳିତ ବନ୍ୟାରେ ସାଧାରଣ ଜନତା ଅପେକ୍ଷା ଚାଷୀକୁଳ ବିଶେଷ ପ୍ରଭାବିତ ହେବାର ଆଶା କରାଯାଉଛି । ସମ୍ପୃକ୍ତ ଅଂଚଳର ମୁଖ୍ୟ ଚାଷ ଜମି ଅଂଚଳ ଭାବେ ଜଣା ଶୁଣା ବଉଦ ପାଟରୁ ଅଧା ଲଘୁ ଚାପ ବର୍ଷା ଜଳ ନିଷ୍କାସିତ ହେବା ପୂର୍ବରୁ ବନ୍ୟା ପାଇଁ ଜଳ ନିଷ୍କାସିତ ପଥ ବନ୍ଦ ରହିଛି ।

ବର୍ଷା ଜଳରେ ବୁଡି ରହିଥିବା କଅଁଳ ଧାନ ଗଛ ସଢ଼ିବା କୁ ଆରମ୍ଭ କଲାଣି । ଏନେଇ ଚାଷୀ ମନରେ ହରଷ ନଥିବା ବେଳେ ଚଳିତ ବର୍ଷ ପରିବାର ଚଳାଇବା ଚିନ୍ତାରେ ଘାଣ୍ଟି ହେଉଛନ୍ତି । ” ବିଲରେ ସଢୁଛି କଅଁଳ ଧାନ, ବିକଳ ହେଉଛି ଚାଷୀର ମନ ” କହିଲେ ଅତ୍ୟୁକ୍ତି ହେବ ନାହିଁ ।ଗୋଟିକ ପରେ ଗୋଟିଏ ବିପର୍ଯ୍ୟୟ ବିଶେଷ କରି ଚାଷୀକୁଳ ହତୋତ୍ସାହିତ କରୁଛି । ମାତ୍ର ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ଜନିତ ଚାଷୀ ସହାୟତା ରାଶି ଅଭାବୀ ଆଗାମୀ ଦିନରେ ଚାଷୀଙ୍କ ମନ ଚାଷରୁ ଫେରାଇନେବା ଭଳି ଅନୁମେୟ ହେଉଛି । ଗତକାଲି ଠାରୁ ବନ୍ୟା ଜଳ କ୍ରମଶଃ ବୃଦ୍ଧି ପାଉଥିବାରୁ ସମ୍ଭାବ୍ୟ ବନ୍ୟାକୁ ଏଡାଇ ଦିଆ ଯାଇ ନ ପାରେ ବୋଲି ପୁରୁଖା ଲୋକେ କହନ୍ତି ।