ଭୁବନେଶ୍ୱର,୨୧/୨ : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟାର ୨୪ଦିନ ପରେ ବି ହତ୍ୟାର ରହସ୍ୟ ଉନ୍ମୋଚନ କରିବାରେ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ବିଫଳ ରହିଥିବାବେଳେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ବିସ୍ଫୋରକ ବୟାନ ଦେଇଛନ୍ତି । ନବ ଦାସଙ୍କ ହତ୍ୟା ମାମଲାରେ ରାଜ୍ୟର ୫-ଟି ସଚିବ ଭିକେ ପାଣ୍ଡିଆନ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମ୍ପୃକ୍ତ ଥିବା ନେଇ ସେ ସିଧାସଳଖ ଅଭିଯୋଗ କରିବା ସହ ଉଭୟଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି କରିଛନ୍ତି । ନବଙ୍କ ହତ୍ୟାର ୪ଦିନ ପୂର୍ବରୁ ଫାଇଭ ଟି ସଚିବ ଓ ଯାଜପୁର ବିଧାୟକଙ୍କ ମଧ୍ୟରେ କ’ଣ କଥାବାର୍ତ୍ତା ହୋଇଥିଲେ ତାହା ଯାଞ୍ଚ ପରିସରକୁ ଆସିବା ଦରକାର ବୋଲି ସେ କହିଛନ୍ତି ।
ଆଜି ବିଧାନସଭା ପରିସରରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ଶ୍ରୀ ମିଶ୍ର କହିଥିଲେ ଯେ, “ନବ ଦାସଙ୍କ ହତ୍ୟାର ୪ଦିନ ପୂର୍ବରୁ ଫାଇଭ-ଟି ସଚିବ ଓ ଯାଜପୁର ବିଧାୟକ ଟେଲିଫୋନରେ କ’ଣ କଥାବାର୍ତ୍ତା ହୋଇଥିଲେ ତାହା ଯାଞ୍ଚର ପରିସରକୁ ଆସୁ। ତା’ହେଲେ ପ୍ରକୃତ ସତ୍ୟ ପଦାକୁ ଆସି ପାରିବ । କିନ୍ତୁ ଏହି ଦୁଇ ବ୍ୟକ୍ତିଙ୍କ ସମ୍ପୃକ୍ତି ଯୋଗୁ ଓଡ଼ିଶା ପୁଲିସ ସେମାନଙ୍କ ବିରୋଧରେ ତଦନ୍ତ କରିପାରିବ ନାହିଁ । ତେଣୁ ସିବିଆଇ ତଦନ୍ତର ଆବଶ୍ୟକତା ରହିଛି । ନବ ଦାସଙ୍କ ହତ୍ୟା ହେଉଛି ସରକାରୀ ପ୍ରାୟୋଜିତ ହତ୍ୟା । ଯେଉଁଠି ସରକାର ନିଜେ ସରକାର(ସ୍ୱାସ୍ଥ୍ୟମନ୍ତ୍ରୀ)ଙ୍କୁ ମାରି ପାରୁଛନ୍ତି ସେଠାରେ ସାଧାରଣ ଲୋକ କ’ଣ ସୁରକ୍ଷିତ କି? ସେଥିପାଇଁ ସିବିଆଇ ତଦନ୍ତ ଦାବି କରୁଛି” ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ଏହି ତଦନ୍ତ ଅଗ୍ରଗତି ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ, ଗୃହ ରାଷ୍ଟ୍ରମନ୍ତ୍ରୀ, ଗୃହ ସଚିବ, ପୁଲିସ ଡିଜି, କ୍ରାଇମବ୍ରାଞ୍ଚ ଏଡିଜି ସମସ୍ତେ ନିରବତା ଅବଲମ୍ବନ କରିଛି। ଏହି ଘଟଣାରେ ତଦନ୍ତର ଗତି କେବଳ ଗୋପାଳ ଦାସ ମଧ୍ୟରେ ସୀମିତ ରହିଛି । ଏହି ହତ୍ୟା ପଛରେ ରାଜନୀତିକ ଓ ବ୍ୟବସାୟିକ ଷଡ଼ଯନ୍ତ୍ର ରହିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଥିଲେ ମଧ୍ୟ କ୍ରାଇମବ୍ରାଂଚ ସେସବୁ ଦିଗ ପ୍ରତି ତଦନ୍ତ କରିନଥିବା ଜଣାପଡ଼ିଛି ।
କ୍ରାଇମବ୍ରାଞ୍ଚ ଏପର୍ଯ୍ୟନ୍ତ କାହିଁକି ରାଜନୀତିକ ଓ ବ୍ୟବସାୟିକ ଦିଗକୁ ତଦନ୍ତ କରୁନି, ନବଙ୍କ ପରିବାର ସଦସ୍ୟ, ବ୍ୟବସାୟିକ ସହଯୋଗୀ, ରାଜନୀତିକ ସହଯୋଗୀଙ୍କୁ ପଚରାଉଚୁରା କରୁନି, ତାକୁ ନେଇ ବଡ଼ ପ୍ରଶ୍ନ ଉଠିଛି । ବିରୋଧୀ ଦଳଠୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ ସମସ୍ତେ ନବ ଦାସ ହତ୍ୟା ମାମଲାରେ ତଦନ୍ତକୁ ବ୍ୟାପକ କରିବା ପାଇଁ ଦାବି କରୁଥିଲେ ମଧ୍ୟ କ୍ରାଇମବ୍ରାଞ୍ଚର ତଦନ୍ତ କେବଳ ଗୋପାଳ ମଧ୍ୟରେ ସୀମିତ ରହିଛି । ଏହି ହତ୍ୟା ପଛର କାରଣ ଉନ୍ମୋଚନ କରିବାରେ କ୍ରାଇମବ୍ରାଞ୍ଚ ବିଫଳ ହୋଇଛି ।
