ଆଦର୍ଶ ଗାଁରେ ବି ମିଳୁନି ବିଧବାଙ୍କୁ ଭତ୍ତା କି ପକ୍କା ଘର

କେନ୍ଦ୍ରାପଡା,୧୪ /୫: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଆଦର୍ଶ ଗାଁ ଭାବେ ପରିଗଣିତ ବାଲିପାଟଣା ଗ୍ରାମର ବିଧବା ସୁଲୋଚନା ସରକାରୀ ସୁବିଧାରୁ ବଂଚିତ ହୋଇ ନିଃସହାୟ ଜୀବନ ବିତାଉଥିବାର ନଗ୍ନ ଚିତ୍ର ପଦାକୁ ଆସିଛି l ବିଧିର ବିଧାନ ବଡ଼ ବିଚିତ୍ର ସୁଲୋଚନା ଦୁଇ ବର୍ଷ ତଳେ ସ୍ୱାମୀକୁ ହରାଇ ନିଃସଙ୍ଘ ଜୀବନ ବିତାଉଥିବା ବେଳେ ଛଅ ମାସ ତଳେ ଶ୍ୱଶୁର ମୃତ୍ଯୁ ବରଣ କରିଥିଲେ l ପ୍ରଶାସନିକ ଅବହେଳା ପାଇଁ ସ୍ୱମୀଙ୍କ ମୃତ୍ୟୁର ଦେଢ଼ ବର୍ଷ ପରେ ଦେଢ଼ଶୁରଙ୍କ ପ୍ରତିବାଦ ପରେ ହରିଶ୍ଚନ୍ଦ୍ର ଯୋଜନାର ସହାୟତା ରାଶି ମିଳିଥିଲା l ସେହିପରି ଶ୍ୱଶୁରଙ୍କ ମୃତ୍ୟୁର ଛଅ ମାସ ପରେ ପୁରା ମାତ୍ରାରେ ମିଳିନି ହରିଶ୍ଚନ୍ଦ୍ର ପଇସା l ସ୍ୱାମୀ ଓ ଶ୍ୱଶୁର ଙ୍କ ଅକାଳ ବିୟୋଗ ପରେ ପରିବାର ର ମୁଖ୍ୟ ଭାବେ ବିଧବା ସୁଲୋଚନା ପାରିବାରିକ ବୋଝ ମୁଣ୍ଡାଇଛନ୍ତି l କିନ୍ତୁ ରାଜ୍ୟ ସରକାରଙ୍କ ଅଵ୍ୟଵସ୍ଥିତ ପ୍ରଶାସନିକ କଳର ଅଣଦେଖାରୁ ସୁଲୋଚନାଙ୍କୁ ଏଯାବତ ବିଧବା ଭତ୍ତା ମିଳିପାରିନି l

ସେହିପରି ଦରିଦ୍ର ନିଃସହାୟ ମହିଳା ଜଣକ ଚାଳ ଛପର କୁଡ଼ିଆ ଘରେ ପିଲା ଛୁଆ ଧରି ଦୁଃଖରେ ଦିନ କାଟୁଥିବା ବେଳେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ତାଙ୍କ ପରିବାର ପାଇଁ ସାତ ସପନ ପାଲଟିଛି l ଶୁଭ୍ରଜିତ ଜେନାଙ୍କ ଭଳି ଗ୍ରାମର ପଡୋଶୀ ମାନେ କହନ୍ତି ସରକାର ତେଲିଆ ମୁଣ୍ଡରେ ତେଲ ଢାଳୁଥିବା ବେଳେ ନୁଖୁରା ମୁଣ୍ଡକୁ ପଚାରୁ ନାହାଁନ୍ତି l ପ୍ରଣୀତ ଯୋଜନା ଗୁଡିକର ସଫଳ ରୂପାୟନ ପାଇଁ ପ୍ରଶାସନିକ କଳ ଉପଯୁକ୍ତ ହିତାଧିକାରୀ ଚୟନ କରିବା ଉଚିତ ବୋଲି ବୁଦ୍ଧିଜୀବୀ ମାନେ ଦାବିକରନ୍ତି l ଦେଖିବାକୁ ବାକି ରହିଲା କେବେ ପ୍ରଶାସନ ସୁଲୋଚନାଙ୍କୁ ଭତ୍ତା ଓ ପକ୍କା ଘର ଯୋଜନାରେ ସାମିଲ କରୁଛି l

Comments are closed.