ନୂଆଦିଲ୍ଲୀ ୦୧/୦୪: ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ଦିନରେ ଏଲପିଜି ସିଲିଣ୍ଡରରେ ୯୨ ଟଙ୍କା ହ୍ରାସ କରାଯାଇଛି। ତେବେ କେବଳ କମର୍ସିଆଲ ଗ୍ୟାସ ବା ବ୍ୟବସାୟ କ୍ଷେତ୍ରରେ ବ୍ୟବହୃତ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ଏହି ପରିବର୍ତ୍ତନ କରାଯାଇଛି । ଘରେ ବ୍ୟବହାର କରାଯାଉଥିବା ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ମାର୍ଚ୍ଚ ମାସରେ ସରକାର କମର୍ସିଆଲ ରୋଷେଇ ଗ୍ୟାସର ମୂଲ୍ୟ ୩୫୦ ଟଙ୍କା ବଢାଇଥିଲେ ।
୯୨ ଟଙ୍କା ହ୍ରାସ ହେବା ପରେ ରାଜଧାନୀ ଦିଲ୍ଲୀରେ କମର୍ସିଆଲ ରୋଷେଇ ସିଲିଣ୍ଡରର ଦର ୨୦୨୮ ଟଙ୍କା, କୋଲକାତାରେ ୨୧୩୨ ଟଙ୍କା, ମୁମ୍ବାଇରେ ୧୯୮୦ ଟଙ୍କା ଏବଂ ଚେନ୍ନାଇରେ ୨୧୯୨ ଟଙ୍କା ୫୦ ପଇସା ହୋଇଛି । ଘରୋଇ ଗ୍ୟାସ ଦିଲ୍ଲୀରେ ୧୧୦୩ ଟଙ୍କା, ମୁମ୍ବାଇରେ ୧୧୧୨ ଟଙ୍କା, କୋଲକାତାରେ ୧୧୨୯ ଟଙ୍କା ଏବଂ ଚେନ୍ନାଇରେ ୧୧୧୮ ଟଙ୍କା ରହିଛି । ଗତ ମାସରେ ଘରୋଇ ଗ୍ୟାସ ମୂଲ୍ୟରେ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା।
ଏହି ପରିପ୍ରେକ୍ଷିରେ ଯଦି ଆପଣଙ୍କ ଆୟ ୨୦୨୩-୨୪ ଆର୍ଥିକ ବର୍ଷରେ ୭ଲକ୍ଷ ଟଙ୍କା ଏବଂ ନୂଆ ଟିକସ ବ୍ୟବସ୍ଥାକୁ ବାଛନ୍ତି, ତେବେ ଆପଣଙ୍କୁ ଟିକସ ଦେବାକୁ ପଡ଼ିବ ନାହିଁ । କାରଣ ନୂଆ ଟିକସ ବ୍ୟବସ୍ଥାରେ ଆୟକର ଆଇନର ଧାରା ୮୭-ଏ ଅନୁସାରେ ଆୟକର ଛାଡ଼ ୧୨ହଜାର ୫୦୦ ଟଙ୍କାରୁ ୨୫ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏଭଳି ସ୍ଥିତିରେ ଯଦି ଟିକସଦାତାଙ୍କ ଆୟ ୭ଲକ୍ଷ ଟଙ୍କାରୁ ଅଧିକ ନହୁଏ, ତେବେ ନୂଆ ଟିକସ ବ୍ୟବସ୍ତାରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ । ସେହିପରି ନୂଆ ଟିକସ ବ୍ୟବସ୍ଥାରେ ମୌଳିକ ଛାଡ଼ ସୀମା ୩ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।
