ନୂଆଦିଲ୍ଲୀ, ୩୦/୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କୀ ବାତ୍ ର ୬୮ତମ ସଂସ୍କରଣକୁ ସମ୍ବୋଧିତ କରି ଭାରତକୁ ଏକ ଆତ୍ମନିର୍ଭରଶୀଳ ରାଷ୍ଟ୍ର ଭାବେ ପରିଣତ କରିବା ଆହ୍ୱାନ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଶିଶୁମାନଙ୍କ ପାଇଁ ଖେଳଣା ବହୁତ ଗୁରୁତ୍ୱପୂର୍ଣ୍ଣ । ଏହା ସେମାନଙ୍କ ସୃଜନଶୀଳତାକୁ ବୃଦ୍ଧି କରିଥାଏ । ଦେଶ ମଧ୍ୟରେ ତିଆରି କରାଯାଉଥିବା ଖେଳଣାକୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ଅନେକ କୁଶଳ କାରିଗର ଅଛନ୍ତି ଯେଉଁମାନେ ଭଲ ଖେଳଣା ତିଆରି କରନ୍ତି । ବିଶ୍ୱର ଖେଳଣା ଶିଳ୍ପ ୭ ଲକ୍ଷ କୋଟିରୁ ମଧ୍ୟ ଅଧିକ । ଭାରତରେ କିନ୍ତୁ ଏହାର ଅଂଶ ବହୁତ କମ୍ । ଦେଶ ପାଖରେ ସବୁକିଛି ଥିବାରୁ ଖେଳଣା ଶିଳ୍ପକୁ ଆଗକୁ ନେବା ଆବଶ୍ୟକ ।
କରୋନା ସଙ୍କଟରେ କୃଷକମାନେ ସେମାନଙ୍କର ଅଦମ୍ୟ ସାହାସର ପରିଚୟ ଦେଇଛନ୍ତି । ଫଳରେ ଖରିଫ ଋତୁରେ ଫସଲ ଅମଳ ପୂର୍ବାପେକ୍ଷା ୭ ପ୍ରତିଶତ ବୃଦ୍ଧି ପାଇଛି । ସେ ଆହୁରି ମଧ୍ୟ ଅନଲକ୍ ୪ର ଗାଇଡଲାଇନ୍ ବାବଦରେ ଦେଶବାସୀଙ୍କ ସହ ଆଲୋଚନା କରିଛନ୍ତି ।
କରୋନା ମହାମାରୀ ସଙ୍କଟ ସମୟରେ ଦେଶ ଏକାଧିକ ଲଢ଼େଇ ଲଢୁଛି। ସୀମାରେ ଲଢ଼େଇ ସହିତ ଦେଶ ଭିତରେ ଆର୍ଥିକ କ୍ଷେତ୍ରକୁ ସୁଦୃଢ଼ କରାଯିବା ଲାଗି ଉଦ୍ୟମ ଅବ୍ୟାହତ ରହିଛି। ଏପରିସ୍ଥଳେ ଆତ୍ମନିର୍ଭର ଭାରତ ଗଠନ ଅପରିହାର୍ଯ୍ୟ ହୋଇପଡ଼ିଛି। ଆତ୍ମନିର୍ଭର ଭାରତ ଗଠନରେ ବଡ଼ ଶିଳ୍ପ ସଂସ୍ଥାଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ।