ବଲାଙ୍ଗିର,୧୫/୧: ପ୍ରଧାନମନ୍ତ୍ରୀ ତଥା ବିଜେପି ମୁଖିଆ ନରେନ୍ଦ୍ର ମୋଦୀ ୨୦ ଦିନ ମଧ୍ୟରେ ଆଜି ତୃତୀୟ ଥର ପାଇଁ ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି । ସେ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ବଲାଙ୍ଗିର ପହଁଚିଛନ୍ତି । ଏଠାରେ ସେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ସମୁଦାୟ ୧୫୫୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ବଲାଙ୍ଗୀର- ବିଛୁପାଲ୍ଲୀ ରେଳଷ୍ଟେସନ ମଧ୍ୟରେ ନୂଆ ରେଳପଥ ଉଦଘାଟନ କରିବା ସହିତ ସବୁଜ ପତାକା ଦେଖାଇ ରେଳ ଚଳାଚଳର ଶୁଭାରମ୍ଭ କରିଥିଲେ। ଏହା ସହିତ ଶ୍ରୀ ମୋଦୀ ରାୟଗଡ଼ା ଠାରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ଉଦ୍ଘାଟନ କରିବା ସହିତ ସୁବର୍ଣ୍ଣପୁର ଠାରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ଶିଳାନ୍ୟାସ ମଧ୍ୟ ମଧ୍ୟ କରିଛନ୍ତି । ଏହା ପରେ ସେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ସାଧାରଣ ଜନତାଙ୍କୁ ଉଦବୋଧନ ଦେଇଛନ୍ତି । ସେ କହିଛନ୍ତି କି, ପୂର୍ବ ଭାରତର ବିକାଶ ସହିତ ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ନିରନ୍ତର ଉଦ୍ୟମ ଚଳାଇଛନ୍ତି। ଏହି କ୍ରମରେ ଓଡ଼ିଶାର ପଶ୍ଚିମାଞ୍ଚଳରେ ଶିକ୍ଷା, ଯୋଗାଯୋଗ ଓ ସାଂସ୍କୃତିକ ଓ ପର୍ୟ୍ୟଟନ କ୍ଷେତ୍ରରେ ବିକାଶ ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଥିବା ସେ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ସାଂସଦ କଲିକେଶ ସିଂଦେଓ ପ୍ରମୁଖ ଉପସ୍ଥିତ ଥିଲେ।