ଗାନ୍ଧୀ ଜୟନ୍ତୀରେ ପୁନଃଲୋକାର୍ପିତ ହେବ ଏକାମ୍ର ହାଟ : ପ୍ରତିଦିନ ହେବ ‘ଏକାମ୍ର ସଂସ୍କୃତି ସନ୍ଧ୍ୟା’

ଭୁବନେଶ୍ବର,୨୯/୯: ଗାନ୍ଧୀ ଜୟନ୍ତୀରେ ପୁଣିଥରେ ଖୋଲିବାକୁ ଯାଉଛି ‘ଏକାମ୍ର ହାଟ’। ଏକାମ୍ର ହାଟକୁ ସେଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁନଃ ଲୋକାର୍ପିତ କରିବେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ପୁନଃଲୋକାର୍ପଣ ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଉକ୍ତ ସଂଧ୍ୟାରେ ‘କାଞ୍ଚି ଅଭିଯାନ’ ଓ ‘ପାଇକ ବିଦ୍ରୋହ’ ନାଟକ ମଧ୍ୟ ପ୍ରଦର୍ଶିତ ହେବ ବୋଲି ସିଡାକ୍‌ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଏଣିକି ଏକାମ୍ର ହାଟରେ ପାରମ୍ପରିକ ପରିବେଶ ମଧ୍ୟରେ ଆତ୍ୟାଧୁନିକ ଯୁଗର ଝଲକ ଦେଖିବାକୁ ମିଳିବ। ପ୍ରତି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀର ପ୍ରଦର୍ଶନୀ ତଥା ବିକ୍ରିବଟା, ପାରମ୍ପରିକ ଖାଦ୍ୟ ଓ ମନମୁଗ୍ଧକର ପରିବେଶ ଉପଭୋଗ କରିବେ ସହରବାସୀ। ହାଟର ମୁଖ୍ୟ ଫାଟକଠାରୁ ଆରମ୍ଭ କରି ପ୍ରଦର୍ଶନୀ ପିଣ୍ଡି, ଖାଦ୍ୟ ଷ୍ଟଲ୍‌, କାଫେ, ପାର୍କିଂ ସ୍ଥାନ ଓ ହାଟ ପରସରକୁ ନୂଆ ରୂପ ଦିଆଯାଇଛି।

କାରିଗର ଓ ବୁଣାକାରମାନଙ୍କୁ ସିଧାସଳଖ ଗ୍ରାହକ ଯୋଗାଇଦେବା ଉଦ୍ଦେଶ୍ୟରେ ଖୋଲିଥିବା ଏହି ଅର୍ବାନ ହାଟକୁ ଅଧିକ ଚଳଚଞ୍ଚଳ ଓ ଆକର୍ଷଣୀୟ କରିବାକୁ ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ଅଣ୍ଟା ଭିଡ଼ିଛି। ଏନେଇ ସିଡାକ୍‌କୁ ନବୀକରଣ ଦାୟିତ୍ବ ଦିଆଯାଇଛି। କାନ୍ଥରେ ଆଦିବାସୀ ସହିତ ପାରମ୍ପରିକ କଳାକୃତି ଅଙ୍କାଯାଇଛି। ହାଟ ମଧ୍ୟରେ ଥିବା ଷ୍ଟଲ୍‌ଗୁଡ଼ିକର ନବୀକରଣ ସହ କିଛି ସ୍ଥାନରେ ପ୍ରଦର୍ଶନୀ ପାଇଁ ସେଡ୍‌ର ବ୍ୟବସ୍ଥା କରାଯାଇଛି। ଏସବୁ ବ୍ୟତୀତ ହାଟ ପରିସରରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଫୁଡ୍‌କୋର୍ଟର ବ୍ୟବସ୍ଥା କରାଯିବା ସହ ଏଥିରେ ଓଡ଼ିଆ ପାରମ୍ପରିକ ଖାଦ୍ୟ ସାମଗ୍ରୀ ସହ ବିଦେଶୀ ଖାଦ୍ୟର ମଜା ନେବା ପାଇଁ ବ୍ୟବସ୍ଥା ହୋଇଛି। ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗର ତଥା ଶିଳ୍ପୀଙ୍କୁ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ବିକ୍ରିବଟା ପାଇଁ ହାଟ ଭିତରେ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଉଛି। ଏଥିପାଇଁ ହସ୍ତଶିଳ୍ପ କାରିଗରୀ ପାଇଁ ୨୮ଟି ଓ ହସ୍ତତନ୍ତ ସାମଗ୍ରୀ ପାଇଁ ୧୪ଟି ଷ୍ଟଲ୍ ପ୍ରସ୍ତୁତ ହେଉଛି। ଏଥିସହ ୮ଟି ଷ୍ଟଲରେ ବିଭିନ୍ନ କଳା ପ୍ରଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ସିଡାକ୍ ପକ୍ଷରୁ ସୂଚନା ମିଳିଛି। ହାଟ ମଧ୍ୟରେ ସର୍ବମୋଟ ୫୦ଟି ଷ୍ଟଲ ନିର୍ମାଣ କରାଯାଉଛି।

ବିଭିନ୍ନ ରକମର ଦେଶୀ ଓ ବିଦେଶୀ ଖାଦ୍ୟ ପାଇଁ ହାଟ ପରିସରରେ ୧୦ଟି ଖାଦ୍ୟ ଷ୍ଟଲ୍‌ ନିର୍ମିତ ହୋଇଛି। ଏହି ଷ୍ଟଲ୍‌ଗୁଡ଼ିକୁ ଟେଣ୍ଡର ପ୍ରକ୍ରିୟାରେ ଆବଣ୍ଟନ କରାଯାଇଛି। ପାରମ୍ପରିକ ଓଡ଼ିଆ ଖାଦ୍ୟ ପାଇଁ ୪ଟି, ରାଜ୍ୟ ବାହାରର ଖାଦ୍ୟ ପାଇଁ ୩ଟି ଏବଂ ହାଇ ଓ ବ୍ରାଣ୍ଡେଡ୍ କାଫେ ଖାଦ୍ୟ ପାଇଁ ୩ଟି ଷ୍ଟଲ୍‌ର ବ୍ୟବସ୍ଥା କରାଯାଇଛି। ଏହାସହ ସାମ୍ନାରେ ଥିବା ୩ଟି କିଓସ୍କୋକୁ ମଧ୍ୟ ହସ୍ତାନ୍ତର କରାଯାଇଛି। କେବଳ ହସ୍ତତନ୍ତ ପାଇଁ ଥିବା କିଛି ଷ୍ଟଲ୍ ବଳି ପଡ଼ିଥିବା ବେଳେ ଖୁବ୍‌ଶୀଘ୍ର ଏହାକୁ କାରିଗରଙ୍କୁ ଦିଆଯିବ ବୋଲି ସୂଚନା ମିଳିଛି।