ନୂଆଦିଲ୍ଲୀ,୫ /୯ : ଗୁରୁଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଦେଶର ୪୭ ଜଣ ଶିକ୍ଷକଙ୍କୁ ପ୍ରଥମଥର ପାଇଁ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ପୁରସ୍କାର ସମାରୋହରେ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇବା ସହ ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଶିକ୍ଷକମାନଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ। ଏଥର ଜାତୀୟ ପୁରସ୍କାର ବିଜେତାମାନଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ହେଉଛନ୍ତି ମହିଳା। ତେଣୁ ଶିକ୍ଷୟତ୍ରୀ ଭାବରେ ମହିଳାମାନଙ୍କ ଭୂମିକାକୁ ସେ ପ୍ରଶଂସା କରିଥିଲେ ।

ଏହି ସମାରୋହରେ ସ୍ୱାଗତ ଭାଷଣ ପ୍ରଦାନ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’କହିଥିଲେ, ଶିକ୍ଷକମାନେ ହିଁ ପ୍ରକୃତ ରାଷ୍ଟ୍ର ନିର୍ମାତା; ଶିକ୍ଷକମାନଙ୍କର ଅଧ୍ୟାପନା, ନିଷ୍ଠା ଓ ଅଧ୍ୟବସାୟ ରାଷ୍ଟ୍ରର ଭବିଷ୍ୟତକୁ ସୁଦୃଢ କରିଥାଏ । ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଧୋତ୍ରେ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଜ୍ୟର ୨ଜଣ କୃତୀ ଶିକ୍ଷକ ଭୁବନେଶ୍ୱର ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ଶିକ୍ଷକ ତାପସ କୁମାର ମହାନ୍ତି ଏବଂ ବୌଦ୍ଧ ଜିଲ୍ଲା ହରଭଙ୍ଗା ସରସରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିଛନ୍ତି।