ବିଶ୍ୱରେ ୧୫ଟି ଦେଶରେ ଶାସକ ପାଲଟିଛନ୍ତି ଭାରତୀୟ

ୱାଶିଂଟନ, ୧୬ /୨: ଆମେରିକା ଠାରୁ ଆରମ୍ଭ କରି ବ୍ରିଟେନ ପର୍ଯ୍ୟନ୍ତ ଭାରତୀୟ ପ୍ରତିଭାମାନେ ଉଦାହରଣ ସୃଷ୍ଟି କରିଛନ୍ତି । ଏହାରି ଭିତରେ ଏକ ତାଲିକା ପ୍ରକାଶ ପାଇଛି, ଯାହାକି ଦେଶର ଗୌରବକୁ ଦ୍ୱିଗୁଣିତ କରିଦେଇଛି । ଏହି ତାଲିକାରେ କୁହାଯାଇଛି ଯେ, ବିଶ୍ୱର ୧୫ଟି ଦେଶରେ ଭାରତ ବଂଶୋଦ୍ଭବୀ ୨୦୦ରୁ ଅଧିକ ଲୋକ ଲୋକସେବାର ଉଚ୍ଚ ପଦରେ ଅବସ୍ଥାପିତ ଅଛନ୍ତି । ଏଥିରୁ ୬୦ ଜଣ ମନ୍ତ୍ରିମଣ୍ଡଳରେ ମଧ୍ୟ ସ୍ଥାନ ପାଇଛନ୍ତି ।

ସରକାରୀ ୱେବସାଇଟ ଏବଂ ଅନ୍ୟ ସୂତ୍ରରୁ ଉପଲବ୍ଧ ଆଧାରରେ ତାଲିକା ପ୍ରସ୍ତୁତ କରାଯାଇଛି । ଏଥିରେ କୁହାଯାଇଛି ଯେ, ୨୦୦ରୁ ଅଧିକ ନେତା-ନେତ୍ରୀ ବିଶ୍ୱର ୧୫ଟି ଦେଶରେ ଲୋକସେବା ସୋପାନରେ ପହଂଚିଛନ୍ତି । ୬୦ରୁ ଅଧିକ ଏହି ଦେଶଗୁଡ଼ିକର ମନ୍ତ୍ରିମଣ୍ଡଳରେ ଗୁରୁଦାୟିତ୍ୱ ବହନ କରୁଛନ୍ତି । ଇଣ୍ଡିଆସ୍ପୋରାର ପ୍ରତିଷ୍ଠାତା, ଶିଳ୍ପପତି ଏବଂ ପୁଂଜିନିବେଶକାରୀ ଏମଆର ରଂଗସ୍ୱାମୀ କହିଛନ୍ତି, ଏହା ଗୌରବର ବିଷୟ ଯେ, ବିଶ୍ୱର ସବୁଠାରୁ ପୁରୁଣା ଗଣତାନ୍ତ୍ରିକ ଦେଶ ଆମେରିକାର ପ୍ରଥମ ମହିଳା ଓ ପ୍ରଥମ କୃଷ୍ଣକାୟ ଉପରାଷ୍ଟ୍ରପତି ଭାରତୀୟ ମୂଳ ନିବାସୀ ଅଟନ୍ତି ।

ତାଲିକାରେ ନାମ ଆସିବା ପରେ ଆମେରିକୀୟ ସାଂସଦ ଅମୀ ବେରା କହିଛନ୍ତି ୨୦୨୧ ଇଣ୍ଡିୟାସ୍ପୋରା ଗଭରନମେଣ୍ଟ ଲିଡର୍ସ ତାଲିକାରେ ସାମିଲ ହେବା ମୋ ପାଇଁ ଗୌରବର ବିଷୟ । ଏହି ତାଲିକାରେ ୟୁକେର ମନ୍ତ୍ରୀ ପ୍ରୀତି ପଟେଲ,ଋଷି ସୁନକ ଓ ଆମେରିକାର ଉପରାଷ୍ଟ୍ରପତି କମଳା ହ୍ୟାରିସଙ୍କୁ ସାମିଲ କରାଯାଇଛି ।