ନୂଆଦିଲ୍ଳୀ,୧୭/୪: କର୍ଣ୍ଣାଟକ ନିର୍ବାଚନ ପାଇଁ ରବିବାର କର୍ଣ୍ଣାଟକରେ ପହଞ୍ଚି ଏକ ରାଲିରେ ଯୋଗଦେଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଆଉ ଏହି ରାଲିରେ ରାହୁଲ ଗାନ୍ଧୀ କର୍ଣ୍ଣାଟକବାସୀଙ୍କ ପାଇଁ ବିଭିନ୍ନ ପ୍ରତିଶୃତି ରଖିଛନ୍ତି। ଯେଉଁଥିରେ ରାହୁଲ ଗାନ୍ଧୀ ମାଗଣା ବିଜୁଳି, ବଞ୍ଚିତ ପରିବାରକୁ ରାସନ ଯୋଗାଇଦିଆଯିବା ନେଇ ଘୋଷଣା କରିଛନ୍ତି। ଖାଲି ସେତିକି ନୁହେଁ ଯଦି ତାଙ୍କ ଦଳ ସତ୍ତାକୁ ଆସୁଛି ତେବେ ମହିଳାଙ୍କୁ ମାସିକ ୨ ହଜାର ଟଙ୍କା ଦିଆଯିବା ନେଇ ମଧ୍ୟ ଘୋଷଣା କରିଛନ୍ତି ରାହୁଲ ।
ରବିବାର କୋଲରରେ ଏକ ରାଲିରେ ଯୋଗଦେଇ ଏହି ନିର୍ବାଚନୀ ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ। ଘୋଷଣା କରିଥିବା ପ୍ରତିଶ୍ରୁତି ମଧ୍ୟରେ, ଗୃହଜ୍ୟୋତି ଯୋଜନାରେ ପ୍ରତିମାସରେ ମାଗଣା ୨୦୦ ୟୁନିଟ୍ ବିଜୁଳି, ଗୃହଲକ୍ଷ୍ମୀ ଯୋଜନାରେ ପ୍ରତିମାସରେ ଘରର ମହିଳା ମୁଖ୍ୟଙ୍କୁ ୨୦୦୦ ଟଙ୍କା, ଅନ୍ନ ଭାଗ୍ୟ ଯୋଜନାରେ ବିପିଏଲ ପରିବାରକୁ ପ୍ରତିମାସରେ ସଦସ୍ୟ ପିଛା ୧୦ କେଜି ଚାଉଳ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛି କଂଗ୍ରେସ । ଏହା ସହ ଯୁବ ନିଧି ଯୋଜନାରେ ବେକାରୀ ଗ୍ରାଜୁଏଟଙ୍କୁ ପ୍ରତିମାସରେ ୩ ହଜାର ଟଙ୍କା ଏବଂ ଡିପ୍ଳୋମାଧାରୀଙ୍କୁ ୧୫୦୦ ଟଙ୍କା ଦୁଇ ବର୍ଷ ଯାଏଁ ଦିଆଯିବା ନେଇ ମଧ୍ୟ ଘୋଷଣା କରିଛନ୍ତି।
ତେବେ, ମେ ୧୦ରେ ହେବାକୁ ଥିବା କର୍ଣ୍ଣାଟକ ନିର୍ବାଚନରେ ଯଦି କଂଗ୍ରେସ ବିଜୟୀ ହୁଏ ତେବେ ଖୁବ୍ ଏହି ସବୁ ପ୍ରତିଶୃତି ପୂରଣ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିବା ସହ ପ୍ରଥମ କ୍ୟାବିନେଟ୍ ବୈଠକରେ ଏହି ସବୁ ପ୍ରତିଶୃତିକୁ ଅନୁମୋଦନ ଦେବ ବୋଲି କହିଛନ୍ତି।
