ନୂଆଦିଲ୍ଲୀ,୩୦/୧: ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ବାହାରିଥିବା କଂଗ୍ରେସର ‘ଭାରତ ଯୋଡ଼ ଯାତ୍ରା’ର ଆଜି ଅନ୍ତିମ ଦିନ । ସୋମବାର ଶ୍ରୀନଗରରେ ପ୍ରବଳ ତୁଷାରପାତ ହୋଇଛି। ଏହି ସମୟରେ ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥିଲା। ରାହୁଲ ଗାନ୍ଧି ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧିଙ୍କ ସହିତ ବରଫରେ ଖେଳୁଥିବା ନଜର ଆସିଛନ୍ତି। ଏଥିସହିତ ପ୍ରିୟଙ୍କା ବି ତୁଷାରପାତର ଖୁବ ମଜା ଉଠାଇଛନ୍ତି।
ତାମିଲନାଡ଼ୁର କନ୍ୟାକୁମାରୀରେ ଆରମ୍ଭ ହୋଇଥିବା ଯାତ୍ରା ୧୪୫ଦିନରେ ୧୨ଟି ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଦେଇ ପାଖାପାଖି ୪,୦୮୦କିଲୋମିଟର ପରିକ୍ରମା କରି ଜମ୍ମୁ-କଶ୍ମୀରର ରାଜଧାନୀ ଶ୍ରୀନଗରରେ ପହଞ୍ଚିଥିଲା। ଏଠାରେ ରାହୁଲ ଗାନ୍ଧି ଐତିହାସିକ ଲାଲ ଚୌକ ଯାଇ ତ୍ରିରଙ୍ଗା ଉଡ଼ାଇଥିଲେ। ଆଉ କହିଥିଲେ ଭାରତକୁ ଦେଇଥିବା ପ୍ରତିଶ୍ରୃତି ପୂରା ହୋଇଯାଇଛି। ଏହି ଯାତ୍ରାକୁ ସେ ତାଙ୍କ ଜୀବନର ସବୁଠାରୁ ଗଭୀର ଓ ସୁନ୍ଦର ଅନୁଭବ ବୋଲି କହିଛନ୍ତି।
ଭାରତ ଯୋଡ଼ ଯାତ୍ରାକୁ ନେଇ ରାହୁଲ କହିଛନ୍ତି, ‘ଏହି ଯାତ୍ରା ସମୟରେ ମୁଁ ଲକ୍ଷାଧିକ ଲୋକଙ୍କୁ ଭେଟିଛି, ସେମାନଙ୍କ ସହ କଥା ବି ହୋଇଛି। ସେ ଅନୁଭବକୁ ବଖାଣିବା ପାଇଁ, ମୋ ପାଖରେ ଶବ୍ଦ ନାହିଁ। ଏହି ଯାତ୍ରା ସମଗ୍ର ଦେଶରେ ଥିବା ହିଂସା ଓ ବାଦବିବାଦ ବିରୋଧୀ ଯାତ୍ରା ଥିଲା । ଭାରତ ଯୋଡ଼ ଯାତ୍ରା ସମୟରେ ଅନେକ କିଛି ସହିବାକୁ ପଡ଼ିଥିବା ବେଳେ ବହୁତ କିଛି ଶିଖିବାକୁ ବି ମିଳିଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।
