ଭୁବନେଶ୍ବର, ୨୫/୩ : କାଲିଠୁ ରାଜ୍ୟରେ ପୁଣି ସକ୍ରିୟ ହେବ ପଶ୍ଚିମାଝଡ଼ । ଫଳରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ବିଜୁଳି ଘଡ଼ଘଡ଼ି ସହ ବର୍ଷା ଏବଂ ଝଡ଼ ପବନ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଓଡ଼ିଶାରେ ପଶ୍ଚିମାଝଡ଼ର ପ୍ରଭାବ ରହିବା ସହ ଆସନ୍ତା ୨୪ ଘଣ୍ଟାରେ କିଛି ଜିଲ୍ଲାରେ ହାଲକାରୁ ମାଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେହିସବୁ ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, କେଉଁଝର, ମୟୂରଭଞ୍ଜ ବାଲେଶ୍ଵର, ଭଦ୍ରକ, ଯାଜପୁର, କଳାହାଣ୍ଡି, ନୂଆପଡା, ନବରଙ୍ଗପୁର । ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ କୋରାପୁଟ ରାୟଗଡ଼ା, ଗଜପତି, ମୟୁରଭଞ୍ଜ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
୨୬ ତାରିଖ ଅର୍ଥାତ ରବିବାରଠାରୁ ରାଜ୍ୟରେ ବଢ଼ିବ ବର୍ଷାର ବିସ୍ତୃତି ଓ ପରିମାଣ । ଆଭ୍ୟନ୍ତରୀଣ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କି.ମି. ବେଗରେ ପବନ ବହିବା ସମ୍ଭାବନା ନେଇ ୧୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଉପକୂଳ ଓଡିଶାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ପାଣିପାଗ ବିଭାଗ । ସେହିପରି ୨୭ ତାରିଖରେ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା । ପୁଣି ଆସନ୍ତା ୩୦ରେ ଆଉ ଏକ ପଶ୍ଚିମାଝଡର ସମ୍ଭାବନା ରହିଛି ।
