ଭୁବନେଶ୍ୱର,୧୫/୬: ରଥଯାତ୍ରା ବନ୍ଦ କରିବା ନେଇ ସୁପ୍ରିମକୋର୍ଟରେ ପହଁଞ୍ଚିଲା ମାମଲା । ବର୍ତ୍ତମାନର ଆପାତକାଳୀନ ସ୍ଥିତିରେ ରଥଯାତ୍ରା କରାଇବା ଉଚିତ ହେବ ନାହିଁ, ତେଣୁ ନ୍ୟାୟାଳୟ ଏଥିରେ ହସ୍ତକ୍ଷେପ କରନ୍ତୁ । ଏଭଳି ଆବେଦନ କରି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛି ଭାରତୀୟ ବିକାଶ ପରିଷଦ ।
ପୂର୍ବରୁ ଓଡିଶା ହାଇକୋର୍ଟ ଏଭଳି ଆବେଦନ ଉପରେ ଶୁଣାଣି କରି ରଥଯାତ୍ରା ଆୟୋଜନର ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡିଛନ୍ତି । କିନ୍ତୁ ଏହା ଉପରେ ଆପତ୍ତି ଉଠାଇଛନ୍ତି ମାମଲାର ଆବେଦନକାରୀ । ରଥଯାତ୍ରା ହେଲେ ମହାମାରୀ କରୋନା ବ୍ୟାପିବାର ଆଶଙ୍କା ଅଛି । ଯାତ୍ରା ହେଲେ କରୋନା ମୁକାବିଲା ପାଇଁ ଧାର୍ଯ୍ୟ ହୋଇଥିବା ଗାଇଡଲାଇନର ପାଳନ କରିହେବ ନାହିଁ। ବିଶେଷ କରି ଶ୍ରୀ ଜୀଉମାନଙ୍କ ପହଣ୍ଡି ବିଜେ ସମୟରେ ସାମାଜିକ ଦୂରତା ରଖାଯିବା ସମ୍ଭବ ହେବନାହିଁ । ଏପରି ସ୍ଥଳେ ରଥଯାତ୍ରା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀଙ୍କ ତରଫରୁ ସୁପ୍ରିମକୋର୍ଟ ରେ ଦାଏର ହୋଇଥିଵା ସ୍ପେସାଲ ଲିଭ ପିଟିସନରେ ଉଲ୍ଲେଖ କରାଯାଇଥିବା ଜଣାପଡିଛି ।