ନୂଆଦିଲ୍ଲୀ,୧୧/୧୧ : ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାମିନ ମିଳିଛି। ଅର୍ଣ୍ଣବଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନରେ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମେ ଅର୍ଣ୍ଣବ ଗୋସ୍ୱାମୀଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ବମ୍ୱେ ହାଇକୋର୍ଟ ନାମଞ୍ଜୁର କରିବା ପରେ ସୁପ୍ରିମକୋର୍ଟରେ ପହଞ୍ଚିଛିଥିଲା ମାମଲା। ଜଷ୍ଟିସ୍ ଡି ଚନ୍ଦ୍ରଚୁଡ ଏବଂ ଜଷ୍ଟିସ୍ ଇନ୍ଦିରା ବାନାର୍ଜୀଙ୍କ ଦ୍ୱାରା ଗଠିତ ଦୁଇ ଜଣିଆ ବେଞ୍ଚ ଏହି ମାମଲାର ଆଜି ଶୁଣାଣି କରି ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର କରିଛନ୍ତି।
ଏଥି ସହିତ ଅର୍ଣ୍ଣବଙ୍କ ମାମଲାର ଶୁଣାଣି କରି ମହାରାଷ୍ଟ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ କହିଛନ୍ତି ଯେ ଏଭଳି ଭାବରେ କୌଣସି ବ୍ୟକ୍ତିର ବ୍ୟକ୍ତିଗତ ସ୍ବାଧିନତା ଉପରେ ପ୍ରତିବନ୍ଧକ ଲଗାଇବା ନ୍ୟାୟର ବିରୁଦ୍ଧ । ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ନେଇ ୨୦୧୮ ମାମଲାରେ ଅର୍ଣ୍ଣବଙ୍କ ଜାମିନ ଆବେଦନର ଶୁଣିବା କରି ଜଷ୍ଟିସ୍ ଧନଞ୍ଜୟ ୱାଇ. ଚନ୍ଦ୍ରଚୁଡ ଏବଂ ଜଷ୍ଟିସ ଇନ୍ଦିରା ବାନାର୍ଜୀଙ୍କ ଏକ ବେଞ୍ଚ ରାଜ୍ୟ ସରକାରଙ୍କଠାରୁ ଜାଣିବାକୁ ଚାହିଁଛନ୍ତି ଯେ ଗୋସ୍ବାମୀଙ୍କୁ ଗିରଫ କରି ପଚରାଉଚୁରା କରିବାର ଆବଶ୍ୟକତା ଅଛି କି? ଏହା ବ୍ୟକ୍ତି ସ୍ବାଧୀନତା ସହିତ ଜଡିତ ଏକ ବିଷୟ । ଭାରତୀୟ ଗଣତନ୍ତ୍ରରେ ଅସାଧାରଣ ସହନଶୀଳତା ରହିଛି । ମହାରାଷ୍ଟ୍ର ସରକାର ଏସବୁକୁ ଅଣଦେଖା କରିବା ଉଚିତ ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ।