IPL 2023 : ମୁମ୍ବାଇ ଧରାଶାୟୀ, ଆରସିବିର ଏକତରଫା ବିଜୟ

0

ବେଙ୍ଗାଲୁରୁ : ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଦ୍ଵିତୀୟ ମ୍ୟାଚ୍‌ରେ ବେଙ୍ଗାଲୁରୁ ଏକତରଫା ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସକୁ ୮ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରି ୨୨ ବଲ ବାକି ଥାଇ ବେଙ୍ଗାଲୁରୁ ମ୍ୟାଚ୍ ଜିତି ନେଇଛି। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ତିଳକ ବର୍ମାଙ୍କ ଅପରାଜିତ ୮୪ ରନ ବଳରେ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୭୧ ରନ କରିଥିଲା। ଜବାବରେ ବାଙ୍ଗାଲୋର ବିରାଟ କୋହଲିଙ୍କ ଅପରାଜିତ ୮୨ ରନ ଏବଂ ଫାଫ ଡୁପ୍ଲେସିସଙ୍କ ୭୩ ରନର ବିସ୍ଫୋରକ ଇନିଂସ ସହାୟତାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୬.୨ ଓଭରରେ ୨ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ମୁମ୍ବାଇ ପକ୍ଷରୁ ପୀୟୁଷ ଚାଓ୍ଵାଲଙ୍କୁ ବାଦ୍ ଦେଲେ ବାକି ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି।

ବାଙ୍ଗାଲୋରର ଦୁଇ ଓପନର ବିରାଟ କୋହଲି ଏବଂ ଅଧିନାୟକ ଫାଫ ଡୁପ୍ଲେସିସ୍‌ ୧୭୨ ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ କ୍ରିଜକୁ ଓହ୍ଲାଇଥିବା ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ନିର୍ମମ ପ୍ରହାର କରି ମୁମ୍ବାଇ ଇଣ୍ଡିଆନ୍ସକୁ କୌଣସି ସୁଯୋଗ ଦେଇନଥିଲେ ଦୁଇ ବ୍ୟାଟର। କୋହଲି ଏବଂ ଡୁପ୍ଲେସିସ୍‌ ଓପନିଂ ଭାଗିଦାରୀରେ ୧୪.୫ ଓଭରରେ ୧୪୮ ରନ ଯୋଡି ବିଜୟ ସୁନିଶ୍ଚିତ କରିଥିଲେ। ଏହି କ୍ରମରେ ଦୁଇ ବ୍ୟାଟର ଅର୍ଦ୍ଧଶତକ ପୂରଣ କରିଥିଲେ। ଡୁପ୍ଲେସିସ୍‌ ୪୩ ବଲ୍‌ରୁ ୫ ଚୌକା ଏବଂ ୬ ଛକା ସହ ୭୩ ରନ କରି ଆଉଟ୍ ହୋଇଥିଲେ। ଦିନେଶ କାର୍ତ୍ତିକ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ। ତେବେ ବିରାଟ କୋହଲି ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ। ସେ ୪୯ ବଲ୍‌ରୁ ୬ ଚୌକା ଏବଂ ୫ ଛକା ସହ ୮୨ ରନରେ ଅପରାଜିତ ଥିଲେ। ବାଙ୍ଗାଲୋର ୧୬.୨ ଓଭରରେ ୨ ଓ୍ଵିକେଟ୍ ବିନିମୟରେ ୧୭୩ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।

ମୁମ୍ବାଇ ଇଣ୍ଡିଆନ୍ସର ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆରମ୍ଭ ନୈରାଶ୍ୟଜନକ ରହିଥିଲା। ୪୮ ରନ ଭିତରେ ୪ ଓ୍ଵିକେଟ୍ ହରାଇ ସଙ୍କଟରେ ଥିଲା ମୁମ୍ବାଇ। ଏହି ସମୟରେ ଇଶାନ କିଷନ(୧୦),କ୍ୟାମେରୁନ ଗ୍ରୀନ(୫), ରୋହିତ ଶର୍ମା(୧) ଏବଂ ସୂର୍ଯ୍ୟକୁମାର ଯାଦବ(୧୫)ଙ୍କ ବହୁମୂଲ୍ୟ ଓ୍ଵିକେଟ୍ ହରାଇଥିଲା ମୁମ୍ବାଇ। ଟପ୍ ଅର୍ଡରଙ୍କ ବିଫଳତା ଯୋଗୁଁ ପ୍ରଥମରୁ ମୁମ୍ବାଇର ରନ ଗତି ଧିମେଇ ଯାଇଥିଲା। ଏହା ପରେ ତିଳକ ବର୍ମା ଏବଂ ନେହାଲ ଓ୍ଵାଧେରା ଲଢୁଆ ବ୍ୟାଟିଂ କରି ପଞ୍ଚମ ଓ୍ଵିକେଟ୍ ପାଇଁ ୫୦ ରନ ଯୋଡିଥିଲେ। ଫଳରେ ମୁମ୍ବାଇ ସ୍ଥିତିରେ ସୁଧାର ଆସିଥିଲା। ୯୮ ରନ ସ୍କୋରରେ ଓ୍ଵାଧେରା ୧୩ ବଲ୍‌ରୁ ଦ୍ରୁତ ୨୧ ରନ କରି ଆଉଟ୍ ହୋଇଥିଲେ।

ଟିମ୍ ଡେଭିଡ୍(୪) ମଧ୍ୟ ଦଳକୁ ନିରାଶ କରିଥିଲେ। ହ୍ରିତିକ ଶୋକେନ ୫ ଆଉଟ୍ ହୋଇଥିଲେ। ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ଖସି ଚାଲିଥିବା ବେଳେ ଅନ୍ୟପଟେ ତିଳକ ବର୍ମା ସ୍ତମ୍ଭ ପରି ଛିଡା ହୋଇ ମୁମ୍ବାଇକୁ ଲଢୁଆ ସ୍କୋର ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ଅର୍ଦ୍ଧଶତକ ହାସଲ କରିବା ସହ ତିଳକ ବର୍ମା ୪୬ ବଲ୍‌ରୁ ୯ ଚୌକା ଏବଂ ୪ ଛକା ସହ ୮୪ ରନର ପ୍ରଶଂସନୀୟ ଇନିଂସ ଖେଳିଥିଲେ। ତାଙ୍କର ଏହି ବ୍ୟାଟିଂ ବଳରେ ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୭୧ ରନର ଲଢୁଆ ସ୍କୋର କରି ପାରିଛି।

SBI AD
Leave A Reply

Your email address will not be published.