ଭୁବନେଶ୍ବର, ୧୯/୪ : ଶନିବାର ଏବଂ ରବିବାର ରାଜ୍ୟର ସମସ୍ତ ଜିଲ୍ଲାର ସହରାଞ୍ଚରେ ସଟ୍ଡାଉନ୍ ଘୋଷଣା କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର । ଆସନ୍ତା ୨୪ ତାରିଖରୁ ମେ ୧୫ ତାରିଖ ଯାଏଁ ରାଜ୍ୟରେ ଜାରି ରହିବ ସପ୍ତାହନ୍ତ ସଟ୍ଡାଉନ୍ । ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବ୍ୟାପକ ହେଉଥିବାରୁ ସଂକ୍ରମଣ କମାଇବାକୁ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହା ସହିତ ୩୦ଟି ଯାକ ଜିଲ୍ଲାରେ ରାତ୍ରୀ କାଳୀନ କର୍ଫ୍ୟୁ ବଳବତ୍ତର ରହିବ । ଏ ନେଇ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଅତ୍ୟାବଶ୍ୟକ ସେବାକୁ ସଟ୍ଡାଉନ୍ ନିୟମରୁ ବାଦ ଦିଆଯାଇଛି ।
ଏସଆରସିଙ୍କ ଘୋଷଣା ମୁତାବକ ସଟଡାଉନ୍ ସମୟରେ ସମସ୍ତ ଅତ୍ୟାବଶ୍ୟକ ସେବା ଜାରି ରହିବ। ଏଥିସହ ଜରୁରୀ ସେବା ଯୋଗାଉଥିବା ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ଖୋଲା ରହିବ। ସ୍ବାସ୍ଥ୍ୟସେବା, ବିଦ୍ୟୁତ ସେବା, ଜଳଯୋଗାଣ, ପରିମଳ, ଏଲପିଜି ଯୋଗାଣ, ମାଲ ପରିବହନ, ଜରୁରୀ ପରିବହନ, ବ୍ୟାଙ୍କ ଏଟିଏମ୍, ଔଷଧ ଦୋକାନ ଏବଂ ଗଣମାଧ୍ୟମ ଆଦି ସଂସ୍ଥା ସଟଡାଉନ୍ ସମୟରେ କାର୍ଯ୍ୟ କରିବ। ତେବେ ଏଥିରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ସ୍ବତନ୍ତ୍ର ପାସ ମିଳିବ ନାହିଁ, ସେମାନେ ନିଜ ସଂସ୍ଥାର ପରିଚୟ ପତ୍ର ଦେଖାଇ ଯାତାୟତ କରିବ।
ଏହା ସହିତ ରାଜ୍ୟରେ ରାଜନୈତିକ କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରାଯାଇଛି । ସାମାଜିକ କାର୍ଯ୍ୟାକ୍ରମ ଉପରେ ମଧ୍ୟ ରୋକ୍ ଲଗାଯାଇଛି । ଗାଁ ଗହଳିରେ କୌଣସି ସାମାଜିକ କାର୍ଯ୍ୟ, ଭୋଜି ଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ଉପରେ ରୋକ୍ ଳଗାଯାଇଛି । ଅମାନିଆଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍ଆରସି ପ୍ରଦୀପ ଜେନା କହିଛନ୍ତି ।
ସେହିପରି ବାହାଘରରେ ସର୍ବମୋଟ ୫୦ ଜଣ ଲୋକ ଯୋଗ ଦେଇପାରିବେ । ଏଥିପାଇଁ ୨୪ ଘଣ୍ଟା ପୂର୍ବରୁ ପ୍ରଶାସନଠାରୁ ଅନୁମତି ଆଣିବାକୁ ପଡିବ ବୋଲି କୁହାଯାଇଛି । ସେହିପରି ବିବାହ ଶୋଭାଯାତ୍ରାକୁ ମଧ୍ୟ ଅନୁମତି ଦିଆଯାଇନି, ଯଦି କେହି ଏହାକୁ ଉଲ୍ଲଘଂନ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।