ଟୋକିଓ ପାରାଅଲିମ୍ପିକ୍ସ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ,୩/୯: ଆଜି ନୂଆଦିଲ୍ଲୀଠାରେ ପାରାଅଲିମ୍ପିକ୍ସ କ୍ରୀଡ଼ା ପଦକ ବିଜେତା ସୁମିତ ଆଣ୍ଟିଲ (ଜାଭେଲିନ୍ ଥ୍ରୋ ଏଫ ୬୪ ସ୍ବର୍ଣ୍ଣ ପଦକ), ଦେବେନ୍ଦ୍ର ଝାଝରିଆ (ଜାଭେଲିନ ଥ୍ରୋ ଏଫ ୪୬ ରୌପ୍ୟ ପଦକ), ଯୋଗେଶ କାଠୁନିଆ (ଡିସକସ ଥ୍ରୋ ଏଫ ୫୬ ରୌପ୍ୟ ପଦକ) ଏବଂ ଶରଦ କୁମାର (ହାଇ ଜମ୍ପ ଟି ୬୩ ବ୍ରୋଞ୍ଜ ପଦକ)ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର । କାର୍ୟ୍ୟକ୍ରମରେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ନିଶିଥ ପ୍ରମାଣିକ ମଧ୍ୟ ଉପସ୍ଥିତ ଥିଲେ। କ୍ରୀଡ଼ା ବିଭାଗ ସଚିବ ରବି ମିତ୍ତଲ ଏବଂ ମନ୍ତ୍ରଣାଳୟର ଅଧିକାରୀଗଣ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ।

ଶ୍ରୀ ଠାକୁର କହିଥିଲେ ଯେ, “ପାରା ଅଲିମ୍ପିଆନମାନଙ୍କ ଚମତ୍କାର ପ୍ରଦର୍ଶନରେ ସାରା ଭାରତ ଆନନ୍ଦିତ। ପୂର୍ବ ଅଲିମ୍ପିକ୍ସଗୁଡ଼ିକରେ ଭାରତର ପ୍ରଦର୍ଶନକୁ ଦେଖିଲେ ଚଳିତ ଥର ଆମେ ପଦକ ହାସଲ କରିବାରେ ପୂର୍ବର ଶ୍ରେଷ୍ଠ ପ୍ରଦର୍ଶନ ସହ ସମକକ୍ଷ ହୋଇପାରିଛୁ । ପାରା ଅଲିମ୍ପିଆନମାନେ ଭାରତର ଗର୍ବ। ସେମାନଙ୍କ ଚମତ୍କାର ପ୍ରଦର୍ଶନ କେବଳ ଦେଶକୁ ଗୌରବାନ୍ବିତ କରିନାହିଁ ବରଂ ଭାରତ ପ୍ରତ୍ୟେକ ସ୍ବପ୍ନକୁ ସାକାର କରିପାରିବ ବୋଲି ବିଶ୍ବାସ ଜନ୍ମାଇପାରିଛି । ଟୋକିଓ ଅଲିମ୍ପିକ୍ସରେ ଭାରତ ସର୍ବାଧିକ ସଂଖ୍ୟକ କ୍ରୀଡ଼ାବିତମାନଙ୍କୁ ପଠାଇଥିଲା । ଏହି ଦଳ ଶ୍ରେଷ୍ଠ ପ୍ରଦର୍ଶନ କରି ପଦକ ସଂଖ୍ୟାକୁ ଦୁଇ ଅଙ୍କରେ ପହଞ୍ଚାଇ ପାରିଛନ୍ତି। ଏହି ପାରା ଆଥଲେଟମାନେ ଆଜି ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେପରି ଭାବେ କ୍ରୀଡ଼ା ପ୍ରତି ଆଗ୍ରହ ପ୍ରକାଶ କରି ଆମର କ୍ରୀଡ଼ାବିତମାନଙ୍କୁ ଅନୁପ୍ରାଣିତ କରିଛନ୍ତି, ତାହା ଆମର ଖେଳାଳୀମାନଙ୍କୁ ପ୍ରେରଣା ଯୋଗାଇଛି ।

ମୁଁ ପୁଣିଥରେ ସୁମିତ ଆଣ୍ଟିଲ, ଦେବେନ୍ଦ୍ର ଝାଝରିଆ, ଯୋଗେଶ କାଠୁନିଆ ଏବଂ ଶରଦ କୁମାରଙ୍କୁ ସେମାନଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଉଛି ।” କ୍ରୀଡ଼ା ମନ୍ତ୍ରୀ ଆହୁରି କହିଥିଲେ ଯେ, ସୁମିତ ଜାଭେଲିନ ଥ୍ରୋରେ କେବଳ ପଦକ ଜିତିନାହାନ୍ତି ବରଂ ବିଶ୍ବ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଦେବେନ୍ଦ୍ର ୬୪.୩୫ ମିଟର ଥ୍ରୋ କରି ବ୍ୟକ୍ତିଗତ ଭାବେ ଶ୍ରେଷ୍ଠ ପ୍ରଦର୍ଶନ କରିବା ସହିତ ରୌପ୍ୟ ପଦକ ହାସଲ କରିଛନ୍ତି। ପାରା ଅଲିମ୍ପିକ୍ସରେ ଏହା ହେଉଛି ତାଙ୍କର ତୃତୀୟ ପଦକ। ଡିସକସ ଥ୍ରୋରେ ଯୋଗେଶ କାଠୁନିଆ ରୌପ୍ୟ ପଦକ ହାସଲ କରିଛନ୍ତି ଏବଂ ଶରଦ କୁମାର ପୁରୁଷ ହାଇଜମ୍ପକରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେମାନେ କୋଟି କୋଟି ଲୋକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।