ଚୂଡ଼ାନ୍ତ ହେଲା ଶ୍ରୀମନ୍ଦିର ଐତିହ୍ୟ କରିଡର ଚିଠା ପ୍ରସ୍ତାବ, ଜୁନ୍ ପହିଲାରୁ କାମ ଆରମ୍ଭ

ଭୁବନେଶ୍ବର : ପୁରୀ ଶ୍ରୀମନ୍ଦିର ଐତିହ୍ୟ କରିଡର ଚିଠା ପ୍ରସ୍ତାବକୁ ଶ୍ରୀମନ୍ଦିର ପରିଚାଳନା କମିଟି ଚୂଡ଼ାନ୍ତ କରିଛି । କେତେକ ସଂଶୋଧନ ସହ ଏହି ଚିଠା ପ୍ରସ୍ତାବ ଚୂଡ଼ାନ୍ତ ହୋଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର କହିଛନ୍ତି । ୩୦ ଡିସେମ୍ବର ୨୦୧୯ରେ ପ୍ରକଳ୍ପର ଚିଠା ପ୍ରସ୍ତୁତ ହୋଇଥିଲା । ଜୁନ ପହିଲାରୁ ଶ୍ରୀମନ୍ଦିର ଐତିହ୍ୟ କରିଡରର ନିର୍ମାଣ କାମ ଆରମ୍ଭ ହେବ । ଐତିହ୍ୟ କରିଡରକୁ ୯ ଭାଗରେ ବିଭକ୍ତ କରାଯିବ ଏବଂ ସବୁ ଜମିକୁ ମହାପ୍ରଭୁଙ୍କ ନାମରେ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଆଜି ପରିଚାଳନା କମିଟିର ବୈଠକ ପରେ ମୁଖ୍ୟ ପ୍ରଶାସକ କହିଛନ୍ତି ଯେ ସେବାୟତ, ମଠ ଓ ପୁରୀବାସୀଙ୍କ ପାଇଁ ଆଜି ପ୍ରକଳ୍ପ ଚୂଡ଼ାନ୍ତ ରୂପରେଖ ପାଇଛି । ଐତିହ୍ୟ କରିଡର ପ୍ରକଳ୍ପ ମଧ୍ୟରେ ଭକ୍ତଶ୍ରଦ୍ଧାଳୁଙ୍କ ଲାଗି ଅଭ୍ୟର୍ଥନା କକ୍ଷ ନିର୍ମାଣ, ମୌଳିକ ସୁବିଧାର ବିକାଶ ଏବଂ ଭଙ୍ଗା ଯାଇଥିବା ମଠମନ୍ଦିର ଗୁଡ଼ିକର ଉତ୍କଳୀୟ ଶୈଳୀରେ ପୁନର୍ବିକାଶ ଆଦି ରହିଛି । ଆସନ୍ତା ଜୁନ ୧ରୁ ଐତିହ୍ୟ କରିଡର କାମ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି ।