ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲ। ପ୍ରସଙ୍ଗରେ ୫ ବର୍ଷ ତଳେ ଓଡ଼ିଶା ହାଇକୋର୍ଟଙ୍କ ଏଭଳି କଡ଼ା ନିର୍ଦ୍ଦେଶ ପରେ ରାଜ୍ୟ ସରକାର ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବାକୁ ତତ୍ପରତା ଦେଖାଇଥିଲେ। ହେଲେ ସମୟ ସ୍ରୋତରେ ଏହି ସମ୍ବେଦନଶୀଳ ପ୍ରସଙ୍ଗ ରାଜନେତାଙ୍କୁ ମୁହଁରୁ ହଜିଯାଇଛି ସତ, କିନ୍ତୁ ଭକ୍ତଙ୍କ ମନକୁ ଏବେ ବି ଏହି ପ୍ରସଙ୍ଗ ଆନ୍ଦୋଳିତ କରି ରଖିଛି।
ମାର୍ଚ୍ଚ ଶେଷ ଆଡ଼କୁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୨୦୧୮ ଏପ୍ରିଲ ୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ଏଥିପାଇଁ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ବର୍ତ୍ତମାନର ମୁଖ୍ୟ ଶାସନ ସଚିବ, ତତ୍କାଳୀନ ପୁରୀ ଜିଲ୍ଲାପାଳ, ଏସ୍ପି, ପରିଚାଳନା କମିଟି ସଦସ୍ୟ ଓ ଅନ୍ୟ ବରିଷ୍ଠ ପଦାଧିକାରୀଙ୍କୁ ନେଇ ୧୭ଜଣିଆ ରତ୍ନଭଣ୍ଡାର ଯାଞ୍ଚ କମିଟି ଗଠନ ହୋଇଥିଲା। କମିଟି ଯିବା ପୂର୍ବରୁ ଅଘଟଣ ଏଡ଼ାଇବାକୁ ସ୍ନେକ୍ ହେଲ୍ପ ଲାଇନ୍ର ସହଯୋଗ ନିଆଗଲା। ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗ ବି ପ୍ରସ୍ତୁତ ରହିଲେ। ଭକ୍ତଙ୍କ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ କରିଦିଆଗଲା। ଭକ୍ତମାନେ ବି ୧୭ଜଣିଆ କମିଟିର ଯାଞ୍ଚ ରିପୋର୍ଟକୁ ଅପେକ୍ଷା କରିଥିଲେ। କିନ୍ତୁ ଅତି ଅବିଶ୍ବସନୀୟ ଭାବେ ଏହି କମିଟି ଫେରିଆସିଥିଲା। ପରେ ଗଣମାଧ୍ୟମ ଆଗରେ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଉତ୍ତର ରଖିଲେ କି ଯେହେତୁ ବାହାର ଭଣ୍ଡାର ଘରୁ ସବୁକିଛି ଦୃଶ୍ୟମାନ ହେଉଥିଲା, ଆଉ ଭିତର ରତ୍ନଭଣ୍ଡାରକୁ ଯିବାକୁ ପଡ଼ିଲାନି।
ସେପଟେ ରତ୍ନଭଣ୍ଡାର ଯାଞ୍ଚ ସମୟରେ ୧୭ଜଣିଆ କମିଟି ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର ଅସୁରକ୍ଷିତ ଅବସ୍ଥାରେ ଥିବା ରିପୋର୍ଟ ଦେଇଥିଲେ। ରତ୍ନଭଣ୍ଡାର ଛାତ, କାନ୍ଥ ଚାରିପାର୍ଶ୍ବରୁ ପାଣି ଗଳୁଥିବା ଓ ବିଭିନ୍ନ ସ୍ଥାନରୁ ସିମେଣ୍ଟ ଛେଲା ଖସିଥିବା ବି ରିପୋର୍ଟରେ ସ୍ପଷ୍ଟ ଲେଖାଥିଲା। ଏହାସତ୍ତ୍ବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ହୋଇପାରିନି। ଗତବର୍ଷ ଅଗଷ୍ଟ ୮ ତାରିଖରେ ପ୍ରତ୍ନତତ୍ତ୍ବ ବିଭାଗ ବି ଶ୍ରୀମନ୍ଦିର ପ୍ରଶାସନକୁ ଚିଠି କରି ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ଅନୁମତି ମାଗିଥିଲା। ଏହା ବି ଶୀତଳ ଭଣ୍ଡାରେ ପଡ଼ିରହିଛି। ଏଭଳି ସ୍ଥିତିରେ ରତ୍ନଭଣ୍ଡାର ଓ ଏହା ଭିତରେ ଥିବା ରତ୍ନ, ଅଳଙ୍କାରଙ୍କୁ ନେଇ ଭକ୍ତ ମହଲରେ ସନ୍ଦେହ ଦୃଢ଼ୀଭୂତ ହେବାରେ ଲାଗିଛି।
