ଭୁବନେଶ୍ବର ୧୩/୦୪ : ଖରାରେ ସିଜୁଛି ସାରା ଓଡ଼ିଶା । ସବୁଠି ଅସ୍ତବ୍ୟସ୍ତ କଲାଣି ତାତି। ସକାଳ ହେବା କ୍ଷଣି ପାରଦ ଉପର ମୁହାଁ ହେଉଛି ଯେ ଅପରାହ୍ନ ପର୍ଯ୍ୟନ୍ତ କମିବାର ନାଁ ଧରୁନି। ଲଗାତାର ଦ୍ବିତୀୟ ଦିନ ଲାଗି ବୁଧବାର ଦିନ ରାଜ୍ୟର ଅର୍ଧାଧିକ ସହରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା। ଏପ୍ରିଲ ମାସରେ ଓଡ଼ିଶାର ଅନ୍ୟତମ ଥଣ୍ଡା ସହରର ପରିଚୟ ପାଇଥିବା ଗୋପାଳପୁରରେ ବି ପାରା ହଠାତ୍ ବଢ଼ି ୩ ଦଶନ୍ଧିର ରେକର୍ଡକୁ ପଛରେ ପକାଇଛି। ୧୯୯୪ ଏପ୍ରିଲ ୧୨ରେ ଗୋପାଳପୁରରେ ଏପ୍ରିଲ ମାସର ସର୍ବୋଚ୍ଚ ତାପମାତ୍ରାର ୩୭.୮ ଡିଗ୍ରି ରହିଥିଲା। ଝାରସୁଗୁଡ଼ା ସମେତ ରାଜ୍ୟର ୧୪ଟି ସହରରେ ପାରଦ ୪୦ ଡିଗ୍ରି ଉପରକୁ ଡେଇଁ ଯାଇଛି। ଗତକାଲି ୪୦ ଡିଗ୍ରି ଡେଇଁଥିବା ଭୁବନେଶ୍ବର ତାପମାତ୍ରା ଆଜି ୩୯.୮ ଡିଗ୍ରିକୁ ହ୍ରାସ ପାଇଛି। ଆସନ୍ତା ୩ ଦିନ ଯାଏ ଅସ୍ତବ୍ୟସ୍ତ କରିବ ତାତି।
ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ୧୩ ତାରିଖଠାରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଓଡ଼ିଶା ୪୦ ଡିଗ୍ରି ଉପରେ ରହିବ। ବାରିପଦା, ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ରେ ପାରଦ ୪୩ ଡିଗ୍ରିରେ ପହଞ୍ଚିବାକୁ ଥିବା ବେଳେ ରାଉରକେଲା, ସମ୍ବଲପୁର, ବୌଦ୍ଧ, ସୋନପୁର, ଟିଟିଲାଗଡ଼, ଭବାନୀପାଟଣାରେ ୪୨ ଡିଗ୍ରି ତାପମାତ୍ରା ହେବ। ଭୁବନେଶ୍ବର ସମେତ କେନ୍ଦୁଝର, ବଲାଙ୍ଗୀର କଟକ, କେନ୍ଦ୍ରାପଡ଼ା, ଚାନ୍ଦବାଲି, ବାଲେଶ୍ବର, ଢେଙ୍କାନାଳ, ନୟାଗଡ଼, ମାଲକାନଗିରି, ପାରଳାଖେମୁଣ୍ଡି ୪୧ ଓ ୪୦ ଡିଗ୍ରି ମଧ୍ୟରେ ରହିବ। ୧୪ ତାରିଖ ତଥା ପଣା ସଂକ୍ରାନ୍ତିରେ ଚଳିତ ବର୍ଷର ତାତି ସମସ୍ତ ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି।
ଅନୁଗୁଳ, ଝାରସୁଗୁଡ଼ାରେ ପାରଦ ୪୪ ଡିଗ୍ରିରେ ପହଞ୍ଚିବ। ଭବାନୀପାଟଣା, ଟିଟିଲାଗଡ଼, ସୋନପୁର, ସମ୍ବଲପୁର, ସୁନ୍ଦରଗଡ଼, ରାଉରକେଲା, ବାରିପଦାରେ ୪୩ ଡିଗ୍ରି, ବଲାଙ୍ଗୀର ୪୨, ବରଗଡ଼ ଓ ଭୁବନେଶ୍ବର ୪୧ ଡିଗ୍ରି ଡେଇଁବାର ସମ୍ଭାବନା ରହିଛି। ୧୫ ତାରିଖରେ ମଧ୍ୟ ସାମନ ସ୍ଥିତି ଲାଗିରହିବ। ଉପକୂଳ ଓଡ଼ିଶାରେ ତାତି ସାମାନ୍ୟ କମିପାରେ। ମାତ୍ର ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ୪୩ ଓ ୪୪ ଡିଗ୍ରି ରହିବା ନେଇ ଆକଳନ କରାଯିବା ସହ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ସ୍ବତନ୍ତ୍ର ରିଲିଫ୍ କମିସନର(ଏସ୍ଆରସି)ଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ୧୩ ତାରିଖରେ ଭୁବନେଶ୍ବର ତାପମାତ୍ରା ୪୧ ଡିଗ୍ରି ଛୁଇଁବାର ସମ୍ଭାବନା ରହିଛି। ୧୬ ତାରିଖରେ ତାତିରେ ସାମାନ୍ୟ ବ୍ରେକ୍ ଲାଗିପାରେ। କାରଣ ଏହି ସମୟରେ ରାଜ୍ୟ ମଧ୍ୟକୁ ବଙ୍ଗୋପସାଗରରୁ ବାୟୁ ପ୍ରବାହ ସମ୍ଭାବନା ହେତୁ ଉତ୍ତର ଉପକୂଳ ସମେତ ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ମୟୁରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।
