ମୁମ୍ବାଇ, ୨୫/୬ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅନ୍ତିମ ଶରୀର ବ୍ୟବଚ୍ଛେଦ ରିପୋର୍ଟ ଗ୍ରହଣ କରିଛି ମୁମ୍ବାଇ ପୁଲିସ୍। ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ ସୁଶାନ୍ତଙ୍କ ମୃତ୍ୟୁ ପୂରାପୂରି ଭାବେ ଆତ୍ମହତ୍ୟା। ସେଥିରେ କୌଣସି ପ୍ରକାରର ଜୋର୍ଜବରଦସ୍ତିର ଚିହ୍ନ ନାହିଁ ।
ଜାଣିବାକୁ ମିଳିଛି ଯେ ପ୍ରଥମ ବ୍ୟବଚ୍ଛେଦ ରିପୋର୍ଟରେ ୩ ଜଣ ଡାକ୍ତରଙ୍କ ଦସ୍ତଖତ ଥିବା ବେଳେ ଅନ୍ତିମ ରିପୋର୍ଟରେ ୫ ଜଣ ଡାକ୍ତର ଦସ୍ତଖତ କରିଛନ୍ତି। ସୁଶାନ୍ତଙ୍କୁ ହତ୍ୟା କରାଯାଇ ନାହିଁ, ଏହା ପୂରାପୂରି ଆତ୍ମହତ୍ୟା ବୋଲି ରିପୋର୍ଟରୁ ସ୍ପଷ୍ଟ ହୋଇଛି।
ଉଲ୍ଲେଖଯୋଗ୍ୟ, ଜୁନ୍୧୪ ତାରିଖରେ ସୁଶାନ୍ତ ସିଂହ ରାଜପୁତ ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ଝୁଲନ୍ତା ଅବସ୍ଥାରେ ମିଳିଥିଲେ। ସେ ଦୀର୍ଘ ଦିନ ଧରି ବିଷାଦ ରହୁଥିଲେ ଓ ସେଥିପାଇଁ ଔଷଧ ବି ଖାଉଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଥିଲା। ସୁଶାନ୍ତଙ୍କ ଘରୁ କିଛି ପ୍ରେସ୍କିପ୍ସନ ଏବଂ ବିଷାଦଗ୍ରସ୍ତ(ଡିପ୍ରେସନ୍) ଔଷଧ ବି ମିଳିଥିଲା।
ସୁଶାନ୍ତଙ୍କ ଆତ୍ମହତ୍ୟା ପଛର କାରଣ ଖୋଜିବା ପାଇଁ ପୁଲିସ୍ ତଦନ୍ତ ଆରମ୍ଭ କରିଛି। ମୁମ୍ବାଇ ପୁଲିସ୍ ଏବେ ସୁଦ୍ଧା ସୁଶାନ୍ତଙ୍କ ସହ ଜଡ଼ିତ ପ୍ରାୟ ୨୩ ଜଣ ଲୋକଙ୍କୁ ଜେରା କରି ସାରିଲାଣି।
ପୁଲିସ୍ ସୁଶାନ୍ତଙ୍କ ବାପା ଓ ଭଉଣୀଙ୍କ ବ୍ୟତୀତ ତାଙ୍କ ସିଏ ସିଦ୍ଧାର୍ଥ ପିଠାନି, ତାଙ୍କ ବନ୍ଧୁ ତଥା କ୍ରିଏଟିଭ୍ କଣ୍ଟେଣ୍ଟ୍ ମ୍ୟାନେଜର୍ କେଶବ, ସୁଶାନ୍ତଙ୍କ ରୋଷେୟା ମହମଦ ଶୈଖ୍ ଓ ତାଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ ଆଦିଙ୍କୁ ଜେରା କରି ସାରିଲାଣି। ମୁମ୍ବାଇ ପୁଲିସ୍ ରିଆଙ୍କୁ ଆଉ ଥରେ ଜେରା କରିବ ବୋଲି ସୂଚନା ରହିଛି।