ପ୍ରଥମ ପତ୍ନୀଙ୍କୁ ନିର୍ଯାତନା : ସ୍ୱାମୀ, ଶାଶୂଘର ଲୋକଙ୍କୁ ପିଟିଲେ ଗାଁର ମହିଳା

କେନ୍ଦ୍ରାପଡ଼ା : ପ୍ରଥମ ପତ୍ନୀ ଥାଇ ମଧ୍ୟ ଦ୍ୱିତୀୟ ବିବାହ କଲେ ପ୍ରଭାତ । ପ୍ରଥମ ପତ୍ନୀ ଏହାର ପ୍ରତିବାଦ କରିବାରୁ ମାଡ଼ ମାରି ନିର୍ଯାତନା ଦେଲେ । ଏସବୁ ଘଟଣା ଅଭିଯୁକ୍ତ ସ୍ୱାମୀ ଓ ତାଙ୍କ ପରିବାର ଲୋକଙ୍କୁ ବେଶ୍‌ ମହଙ୍ଗା ପଡ଼ିଛି । ଗାଁର ମହିଳାମାନେ ପ୍ରଥମ ପତ୍ନୀଙ୍କୁ ସମର୍ଥନ କରି ଏକାଠି ହୋଇ ଅଭିଯୁକ୍ତ ସ୍ୱାମୀ ସମେତ ଶାଶୂଘର ଲୋକଙ୍କୁ ଘରେ ପୂରାଇ ମାଡ ମାରିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମଙ୍ଗଳବାର କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ସଦର ବ୍ଲକ୍‌ ଅଧୀନ ଧୁମାତ ପଞ୍ଚାୟତରେ ଘଟିିଛି ।

ସ୍ଥାନୀୟ ଅଞ୍ଚଳର ଗୀତାଞ୍ଜଳିଙ୍କୁ ପ୍ରେମ ବିବାହ କରିଥିଲେ । ତାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ଅଛନ୍ତି । ହେଲେ ତାରି ଭିତରେ ପ୍ରଭାତ ଅନ୍ୟ ଜଣେ ମହିଳାଙ୍କୁ ପ୍ରେମ କରି ବସିଥିଲେ । କିଛିଦିନ ଆଗରୁ ତାଙ୍କୁ ଦ୍ୱିତୀୟ ପତ୍ନୀର ମର୍ଯ୍ୟାଦା ଦେଇ ସେ ଘରକୁ ଆଣିଥିଲେ । ଏନେଇ ଘରେ କଳିଗୋଳ ଆରମ୍ଭ ହୋଇଯାଇଥିଲା । ପ୍ରତିବାଦ କରୁଥିବା ପ୍ରଥମ ପତ୍ନୀଙ୍କୁ ପ୍ରଭାତ ନିର୍ଯାତନା ଦେବାକୁ ଲାଗିଥିଲେ । କଥା କଥାରେ ମାରପିଟ୍‌ କରୁଥିଲେ । ପ୍ରଭାତ ତାଙ୍କର ପ୍ରଥମ ପତ୍ନୀଙ୍କୁ ଆଡ଼େଇ ଦେଇ ଅନ୍ୟଜଣେ ମହିଳାଙ୍କୁ ଆଉ ଥରେ ବିବାହ କରିବା ଘଟଣା ଗୀତାଞ୍ଜଳିଙ୍କୁ ବାଧିଥିଲା।

ପ୍ରଭାତ କାମ କରିବେ ବୋଲି ଗାଁର ମହିଳା ମଣ୍ଡଳରୁ ପ୍ରାୟ ୭୦ ହଜାର ଟଙ୍କା ଉଧାର ସୂତ୍ରରେ ଉଠାଇ ଆଣି ସେ ଦେଇଥିଲେ ଗୀତାଞ୍ଜଳି । ସ୍ୱାମୀ ଟଙ୍କାକୁ ଅନ୍ୟତ୍ର ଖର୍ଚ୍ଚ କରିଥିଲେ । ସେ ଏହାର ପ୍ରତିବାଦ କରିବାରୁ ଓ ପରିଶୋଧ କଥା କହିବାରୁ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ନିକିରାଇ ଥାନାରେ ଗୀତାଞ୍ଜଳି ଚଳିତ ମାର୍ଚ୍ଚ ୧୩ ତାରିଖରେ ଏନେଇ ଅଭିଯୋଗ କରିଥିଲେ । ଗୀତାଞ୍ଜଳିର ଅଭିଯୋଗ ପ୍ରତି ଗୁରୁତ୍ୱ ନଦେଇ ପୋଲିସ ପକାଇ ରଖିଥିଲା । ଯାହାର ପରିଣାମ ସ୍ୱରୂପ ଗୀତାଞ୍ଜଳିଙ୍କ ଉପରେ ସ୍ୱାମୀ ଓ ଶାଶୂଘର ଲୋକଙ୍କ ନିର୍ଯାତନା ବଢ଼ିଯାଇଥିଲା । ସ୍ୱାମୀ ପ୍ରଭାତ, ଦିଅର ଓ ଶାଶୂଘର ଲୋକେ ତାଙ୍କୁ ଖୁବ୍‌ ବାଡେଇଥିଲେ ।

ଏହି ଖବର ଗ୍ରାମର ମହିଳା ମଣ୍ଡଳ ପାଖରେ ପହଞ୍ଚିଥିଲା । ଗୀତାଞ୍ଜଳିଙ୍କ ପାଖରେ ପହଞ୍ଚି ତାଙ୍କୁ ନିର୍ଯାତନା ନଦେବାକୁ ଶାଶୂଘର ଲୋକଙ୍କୁ ବୁଝାଇ କହିଥିଲେ । ହେଲେ ସେମାନେ କିଛି ଶୁଣିନଥିଲେ ବରଂ ଗୀତାଞ୍ଜଳିଙ୍କୁ ସେମାନଙ୍କ ଆଗରେ ଶାଶୂଘର ଲୋକେ ମାଡ଼ ମାରିଥିଲେ । ଏହା ଦେଖି ମହିଳାମାନେ ଗୀତାଞ୍ଜଳିଙ୍କ ସ୍ୱାମୀ ପ୍ରଭାତ ଓ ଦିଅରଙ୍କୁ କାବୁ କରି ଧୁମ୍‌ ପିଟିଥିଲେ । ମହିଳାମାନେ ଥାନାକୁ ବାହାରୁଥିବା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳା ମଣ୍ଡଳ ସଦସ୍ୟଙ୍କୁ ବୁଝାଶୁଝା କରିଥିଲା । ଏହା ପରେ ଗୀତାଞ୍ଜଳିଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଛି । ନିକିରାଇ ଥାନା ଆଇଆଇସି ଜ୍ୟୋତିପ୍ରକାଶ ସ୍ୱାଇଁଙ୍କୁ ଏ ସଂପର୍କରେ ପଚାରିବାରେ ସେ କହିଛନ୍ତି କି ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି, କାର୍ଯ୍ୟାନୁଷ୍ଠାନ ହେବ ।