ଭୁବନେଶ୍ୱର,୧୦/୪ : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ତରୁଣ ପାଣ୍ଡେଙ୍କୁ ଏଠାରୁ ପ୍ରାର୍ଥୀ କରିଛି ଦଳ। ତରୁଣଙ୍କ ନାଁ ଘୋଷଣା କରିଛି ଏଆଇସିସି। ତରୁଣ ହେଉଛନ୍ତି ପୂର୍ବତନ ବିଧାୟକ ସ୍ୱର୍ଗତଃ ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେଙ୍କ ପୁଅ। ସ୍ୱର୍ଗତଃ ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେ ୧୯୮୦, ୧୯୮୫ ଓ ୧୯୯୫ରେ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
କଂଗ୍ରେସ ଟିକେଟ ପାଇବା ପରେ ତରୁଣ କହିଛନ୍ତି, ନିର୍ବାଚନ ନେଇ ମୋର ଅନୁଭୂତି ରହିଛି। ବାପାଙ୍କ ସହ ନିର୍ବାଚନରେ କାମ କରିଛି। ଝାରସୁଗୁଡ଼ାରେ ସୃଷ୍ଟି ହୋଇଥିବା ପ୍ରଦୂଷଣ, ବେକାରୀ ସମସ୍ୟା ଓ ଅଣାୟତ ଆଇନଶୃଙ୍ଖଳା ସ୍ଥିତିକୁ ପ୍ରସଙ୍ଗ କରାଯିବ। ନବ ଦାସ କଂଗ୍ରେସରୁ ବିଜେଡିକୁ ଯିବା ବେଳେ ଦଳ ଛାଡ଼ିଥିବା କର୍ମୀମାନେ ପୁଣି ଫେରିଛନ୍ତି। କାରଣ ନବ ଦାସଙ୍କ ଦେହାନ୍ତ ହୋଇଯାଇଛି। ତେଣୁ କଂଗ୍ରେସ ଜିତିବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। କଂଗ୍ରେସ ଦଳରୁ ଯିଏ ବି ଟିକେଟ ପାଇବ ମିଳିମିଶି ନିର୍ବାଚନ ଲଢ଼ାଯିବ ବୋଲି ଆଲୋଚନା ହୋଇଛି। ତେଣୁ ଦଳରେ କୌଣସି କନ୍ଦଳ ନାହିଁ। ବିଜେଡି ସହ କଂଗ୍ରେସର ସିଧାସଳଖ ଟକ୍କର ହେବ। ବିଜେଡି କଳବଳ ଓ ଅର୍ଥ ଲଗାଇ ଏଠାରୁ ଜିତିବାକୁ ଚେଷ୍ଟା କରିବ। ଯାହାକୁ ପ୍ରତିହତ କରିବାକୁ କଂଗ୍ରେସ ନିଜର ଯୋଜନାକୁ ରୂପ ଦେଇ ସାରିଛି ବୋଲି ତରୁଣ କହିଛନ୍ତି।
ସୂଚନାଯୋଗ୍ୟ, ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମେ` ୧୦ ତାରିଖରେ ଭୋଟ୍ ଗ୍ରହଣ ହେବ। ମେ’ ୧୩ ତାରିଖରେ ଭୋଟ୍ ଗଣତି ହେବ।
