ଭୁବନେଶ୍ବର : ରାଜଧାନୀ ଗଙ୍ଗନଗର ସନ୍ତୋଷୀ ମା’ ମନ୍ଦିର ନିକଟରେ ବିଳମ୍ବିତ ରାତିରେ ଜଣେ ସୁରକ୍ଷାକର୍ମୀ ନିଜ ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ପେଟରେ ଗୁଳିବାଜି ଛାତି ପଟୁ ବାହାରିବା ସହିତ ପ୍ରଚୁର ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ସୁରକ୍ଷାକର୍ମୀ ହେଉଛନ୍ତି, ନୟାଗଡ଼ ଶରଣକୁଳ ଥାନା ଅନ୍ତର୍ଗତ ବାଉଁଶିଆ ଗ୍ରାମର କୃଷ୍ଣଚନ୍ଦ୍ର ଦାସ। ଏ ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଆଜି କ୍ୟାପିଟାଲ ହସ୍ପିଟାଲରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଛି।
ପତ୍ନୀ ସ୍ନେହଲତାଙ୍କ କହିବାନୁଯାୟୀ, ବାହାଘର ଦିନରୁ ହିଁ ତାଙ୍କ ସ୍ବାମୀ କୃଷ୍ଣଚନ୍ଦ୍ର ତାଙ୍କ ଉପରେ ସନ୍ଦେହ କରୁଥିଲେ। ପରକୀୟା ପ୍ରୀତି ଥିବା ଅଭିଯୋଗ କରି ଅନେକ ସମୟରେ ତାଙ୍କୁ ମାଡ଼ ମାରିବା ସହିତ ମାନସିକ ନିର୍ଯାତନା ଦେଉଥିଲେ। ଗତକାଲି ବିଳମ୍ବିତ ରାତିରେ ସେହି ସମାନ କଥାକୁ ନେଇ କୃଷ୍ଣଚନ୍ଦ୍ର ତାଙ୍କ ସହ ଝଗଡ଼ା କରିଥିଲେ। ଏହା ପରେ ନିଜ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ପତ୍ନୀ ଓ ପୁଅଝିଅ କୌଣସି ମତେ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ହେଁ ସେ ଘରୁ ବାହାରି ଆସି ସାଙ୍ଗେ ସାଙ୍ଗେ ପିସିଆର୍କୁ କଲ୍ କରିଥିଲେ। ମାତ୍ର ପିସିଆର୍ ତାଙ୍କ ନିକଟରେ ପହଞ୍ଚିଥିଲେ ହେଁ ପୁଲିସ କର୍ମଚାରୀମାନେ ଗାଡ଼ିରୁ ବାହାରକୁ ଯିବା ପୂର୍ବରୁ ମାନସିକ ଭାରସାମ୍ୟ ହରାଇ ସେ ନିଜ ବନ୍ଧୁକରେ ପେଟକୁ ଗୁଳି କରି ଆତ୍ମହତ୍ୟା କରିଥିଲେ।