ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀ ଓ ଝିଅର ଶବ

0

ଲକ୍ଷ୍ମୀପୁର,୧୩/୨: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ତୋୟାପୁଟ ଗାଁରେ ରବିବାର ଘଟିଥିବା ହତ୍ୟା ଓ ଆତ୍ମହତ୍ୟା କରିଥିବା ଗୋଟିଏ ପରିବାରର ୩ ଜଣଙ୍କର ମୃତଦେହକୁ ଶୋକାକୁଳ ପରିବେଶ ମଧ୍ୟରେ ଗୋଟିଏ ଜୁଇରେ ଅନ୍ତିମ ସଂସ୍କାର କରାଯାଇଛି। ଆଜି ସକାଳୁ ପୁଲିସ ସାଇଣ୍ଟିଫିକ୍ ଟିମ୍‌ର ସହାୟତା ନେବା ପରେ ଦିନ ୧୧ ଟାରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଥିଲା। ସାଇଣ୍ଟିଫିକ୍ ଟିମ୍‌ର ସଦସ୍ୟ ମୃତ ତିନିଜଣଙ୍କର ବିଭିନ୍ନ ସାମଗ୍ରୀ ସହ ହତ୍ୟା ଓ ଆତ୍ମହତ୍ୟାରେ ବ୍ୟବହୃତ ହୋଇଥିବା ମୋବାଇଲ୍ ଚାର୍ଜର, ରସି, ରକ୍ତ ଭିଜା କପଡ଼ା ଭଲି ବିଭିନ୍ନ ସାମଗ୍ରୀ ଗବତ କରିଥିଲା। ଅପରାହ୍ନରେ ୩ଟି ମୃତଦେହକୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା। ତୋୟାପୁଟସ୍ଥିତ ଗାଁ ମଶାଣିରେ ଗୋଟିଏ ଜୁଇରେ ୩ଜଣଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଶବ ଗୁଡ଼ିକୁ ଅନ୍ତିମ ସଂସ୍କାର ଦିଆଯିବା ସମୟରେ ୨ ବର୍ଷୀୟ କୁନିଝିଅକୁ ଅଜା, ଜେଜେବାପା, ବଡବାପାଙ୍କ ସମେତ ସମ୍ପର୍କୀୟ ହାତରେ ଧରି ବାହୁନି ବାହୁନି କାନ୍ଦୁଥିବା ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଥିଲା।

ନିଜ ସ୍ତ୍ରୀ ଓ ନିଷ୍ପାପ ୨ବର୍ଷର କୁନି ଝିଅକୁ ହତ୍ୟା କରି ସ୍ବାମୀ ଲିଙ୍ଗରାଜ କାହିଁକି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ ତାହା ସମସ୍ତଙ୍କୁ ଚକିତ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଚାତକ ଭଳି ସମସ୍ତେ ଅନାଇ ବସି ରହିଥିବା ବେଳେ ଚର୍ଚ୍ଚା କିନ୍ତୁ ଭିନ୍ନ ରୁପ ନେଇଛି। ଗାଁର ସାହି ଗଳିରେ ଚର୍ଚ୍ଚା ହେଉଛି କି ଋଣ ଭାର ହିଁ ଏହି ୩ଜଣ ଙ୍କର ଜୀବନ ନେଇଗଲା। ଆତ୍ମହତ୍ୟା କରିଥିବା ଲିଙ୍ଗରାଜ୍ କୁଆଡେ ଗତ ବର୍ଷ ଠାରୁ ଆଇପିଏଲ୍ କ୍ରିକେଟ୍‌ରେ ଟଙ୍କା ବେଟିଂ କରୁଥିଲେ। ଏପରିକି ବର୍ତ୍ତମାନ ସୁଧା ମଧ୍ୟ ଅନ୍‌ଲାଇନ୍ କ୍ରିକେଟ୍ ବେଟିଂ କରି ଲକ୍ଷାଧିକ ଟଙ୍କା ସର୍ବସାନ୍ତ ହୋଇଛନ୍ତି। ସ୍ତାନୀୟ ଲୋକଙ୍କମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଉଦ୍ଧାର ହୋଇଛନ୍ତି। ଘରେ ସ୍ତ୍ରୀର ସୁନା ଗହଣା ମଧ୍ୟ କୁଆଡେ ବିକ୍ରି କରିଦେଇଛନ୍ତି। ଋଣଗ୍ରସ୍ତ ଲିଙ୍ଗରାଜ ଘରେ ସ୍ବଭାବ ଭାବେ ରହୁଥିଲେ ମଧ୍ୟ ଋଣକୁ ନେଇ ମାନସିକ ଭାବେ ଚିନ୍ତାଗ୍ରସ୍ତ ରହୁଥିବା ଆଲୋଚନାର ବିଷୟ ହୋଇଛି। କ୍ରିକେଟ୍ ଭଳି ବ୍ୟାଟିଂ ଜୁଆ ଗୋଟିଏ ପରିବାରକୁ ସର୍ବଶ୍ବାନ୍ତ କରିଦେଲା ବୋଲି ଆଲୋଚନା ହେଉଥିବା ବେଳେ ପୁଲିସ ମଧ୍ୟ ଲିଙ୍ଗରାଜ୍ ଋଣଗ୍ରସ୍ତ ହୋଇଥିବା ପ୍ରାଥମିକ ତଦନ୍ତରୁ ଜାଣିପାରିଥିବା ପ୍ରକାଶ କରିଛି। ଯୁବପିଢିଙ୍କୁ ବର୍ତ୍ତମାନ ଅନଲାଇନ୍ କ୍ରିକେଟ୍ ବେଟିଂ ଏକ ବଡ ସମସ୍ୟା ହୋଇ ଉଭାନ୍ ହୋଇଥିବା ଚର୍ଚା ଜୋର ଧରିଛି।

SBI AD
Leave A Reply

Your email address will not be published.