କୋଭିଡ୍ କଟକଣା ଉଲଂଘନ ଅଭିଯୋଗରେ ସିଲ୍ ହେଲା ୨ଟି ସିନେମା ହଲ୍

ଗଜପତି ୧୦/୪: କୋଭିଡ୍ କଟକଣା ଉଲଂଘନ ଅଭିଯୋଗରେ ଗଜପତି ପାରଳାଖେମୁଣ୍ଡିରେ ୨ଟି ସିନେମା ହଲକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ । ଶୁକ୍ରବାର ଏକ ତେଲୁଗୁ ସିନେମା ଉନ୍ମୋଚିତ ହୋଇଥିଲା । ଫଳରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । କୋଭିଡ୍ କଟକଣାକୁ ଉଲଂଘନ କରିଥିବାରୁ ଆଜି ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡିର ଜୟା ଓ ଲକ୍ଷ୍ମୀ ଟକିଜକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ ।

ଗତକାଲି ରାୟଗଡା ସହରରେ ଥିବା ଅଶୋକ ସିନେମା ହଲକୁ ପ୍ରଶାସନ ଓ ପୋଲିସ ସିଲ୍ କରିଥିଲା । କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ସିନେମା ହଲ୍ ସିଲ୍ ହୋଇଥିଲା । ଏହି ସିନେମା ହଲ୍‌ରେ ‘ଓକିଲ ବାବୁ’ ନାମକ ଏକ ସିନେମା ରିଲିଜ୍ ହେବାର ଥିଲା । ତେବେ ଏଥିପାଇଁ ଦୁଇ ଦିନ ପୂର୍ବରୁ ହଲ୍ ବୁକିଂ କରି ସମସ୍ତ ଆସନ ସଂରକ୍ଷଣ ହୋଇଥିଲା । ଶୁକ୍ରବାର ସକାଳୁ ହିଁ ସିନେମା ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଏହି ସୂଚନା ମିଳିବା ପରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଓ ଏସପି ବିବେକାନନ୍ଦ ଶର୍ମା ସିନେମା ହଲ୍‌କୁ ଯାଞ୍ଚ ପାଇଁ ଯାଇଥିଲେ । ସେହି ସମୟରେ ଭିଡ ପରିଲକ୍ଷିତ ହୋଇଥିଲା । ସେହିଭଳି ସାମାଜିକ ଦୂରତା ପାଳନ ହୋଇନଥିବା ବେଳେ ମନଇଛା ଟିକେଟ୍ ବିକ୍ରି ହୋଇଥିଲା । ଏହି ସ୍ଥିତି ଅନୁଧ୍ୟାନ ପରେ ପୋଲିସ ଓ ପ୍ରଶାସନ ତୁରନ୍ତ ସିନେମା ହଲ୍‌କୁ ସିଲ୍ କରିଥିଲେ । ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍ ହୋଇଥିବା ଜଣାପଡିଥିଲା ।

Comments are closed.