ୱାସିଂଟନ, ୩/୧୧ : ଆଜି ଆମେରିକାର ରାଷ୍ଟ୍ରପତି ନିର୍ବାଚନ। ୫୦ ଟି ରାଜ୍ୟରେ ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇ ସାରିଛି। ଦେଶର ୪୬ ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁନର୍ବାର ତାଙ୍କ ରିପବ୍ଲିକାନ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ବିରୋଧରେ ଡେମୋକ୍ରାଟିକ ଦଳରୁ ପ୍ରାର୍ଥୀ ହୋଇଛନ୍ତି ଜୋ ବାଇଡେନ। ତେଣୁ ଟ୍ରମ୍ପ୍ ପୁଣି ଥରେ ନିର୍ବାଚିତ ହେବେ ନା ବାଇଡେନ୍ ରାଷ୍ଟ୍ରପତି ଚୌକିରେ ବସିବେ ତାହା ସ୍ପଷ୍ଟ ହୋଇଯିବ। କରୋନା ମହାମାରୀ ମଧ୍ୟରେ ଚଳିତ ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଖୁବ୍ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ମହାମାରୀ ପାଇଁ ଟ୍ରମ୍ପ୍ଙ୍କୁ ଚଳିତଥର ଅଧିକ ଚ୍ୟାଲେଂଜ ସାମ୍ନା କରିବାକୁ ପଡ଼ିଛି। ମହାମାରୀ ମଧ୍ୟରେ ଆମେରିକୀୟମାନେ ଟ୍ରମ୍ପ୍ଙ୍କୁ ପ୍ରତ୍ୟାଖ୍ୟାନ କରିବେ କି ପୁଣିଥରେ ସ୍ବାଗତ କରିବେ ତାହା ଫଳ ପ୍ରକାଶ ପରେ ସ୍ପଷ୍ଟ ହେବ। ସେହିଭଳି ରିପବ୍ଲିକ୍ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ହେଉଛନ୍ତି ମାଇକ୍ ପେନ୍ସ। ସେ ମଧ୍ୟ ବର୍ତ୍ତମାନ ଆମେରିକାର ଉପରାଷ୍ଟ୍ରପତି ଅଛନ୍ତି। ଅନ୍ୟପକ୍ଷେ ଡେମୋକ୍ରାଟିକ୍ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ଭାରତୀୟ ବଂଶୋଦ୍ଭବ କମଳା ହାରିସ୍ ହୋଇଛନ୍ତି। ଉପରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସ୍ କାଲିଫର୍ଣ୍ଣିଆର ପୂର୍ବତନ ଆଟର୍ଣ୍ଣି ଜେନେରାଲ୍।