ଭୁବନେଶ୍ୱର,୧୦/୧୧ : (ଓଡିଶା ଖବର) – ଅଙ୍ଗଚ୍ଛେଦ ମୁକ୍ତ ଭାରତ ବାର୍ତା ନେଇ କିମ୍ସ ପକ୍ଷରୁ ରବିବାର ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଭାସ୍କୁଲାର ସୋସାଇଟି ଅଫ୍ ଇଣ୍ଡିଆ ସହଯୋଗରେ କିମ୍ସ ପକ୍ଷରୁ ଆୟୋଜିତ ଏହି ପଦଯାତ୍ରାରେ ‘ଅଙ୍ଗ ରକ୍ଷା-ଜୀବନ ରକ୍ଷା ବାର୍ତା ସାଧାରଣ ଲୋକଙ୍କ ମଧ୍ୟରେ ପହଁଚାଯାଇଥିଲା। ଭାସ୍କୁଲାର ରୋଗ ଯୋଗୁଁ ପ୍ରତିବର୍ଷ ସାରା ଭାରତରେ ହଜାର ହଜାର ଲୋକ ଅଙ୍ଗଚ୍ଛେଦ କରାଇବା ପାଇଁ ବାଧ୍ୟ ହୋଇଥାନ୍ତି। ପ୍ରାରମ୍ଭିକ ରୋଗ ନିର୍ଣ୍ଣୟ, ସମୟୋଚିତ ହସ୍ତକ୍ଷେପ ଏବଂ ନିରନ୍ତର ଜନସଚେତନତା ଦ୍ୱାରା ଏହି ଅଙ୍ଗଚ୍ଛେଦର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶକୁ ଏଡ଼ାଯାଇପାରିବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ହାଇଦ୍ରାବାଦସ୍ଥିତ ଏଆଇଜି ହସ୍ପିଟାଲର ଭାସ୍କୁଲାର ଏବଂ ଏଣ୍ଡୋଭାସ୍କୁଲାର ସର୍ଜରୀ ଅନୁଷ୍ଠାନର ନିର୍ଦ୍ଦେଶକ ତଥା ମୁଖ୍ୟ ଡା ନିହାର ରଞ୍ଜନ ପ୍ରଧାନ ଏହି ପଦଯାତ୍ରର ନେତୃତ୍ୱ ନେଇଥିଲେ। ଏହି ପଦଯାତ୍ରା କିମ୍ସ କ୍ୟାନ୍ସର ସେଂଟରରୁ ଆରମ୍ଭ ହୋଇ ପଟିଆ ଛକ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ କିମ୍ସ ମେଡିକାଲ୍ କଲେଜ ଅଧ୍ୟକ୍ଷ ଡା. ଆର୍ ସି ଦାସ, କିମ୍ସ ଗୃପ ଡାଇରେକ୍ଟର ଡ. ଦିଲ୍ଲୀପ କୁମାର ପଣ୍ଡା, ସର୍ଜନ ପ୍ରଫେସର ଅମରେଶ ମିଶ୍ରଙ୍କ ସମେତ ବହୁ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଆସୋସିଏସନ୍ ଅଫ୍ ସର୍ଜନସ୍ ଅଫ୍ ଇଣ୍ଡିଆ, ଓଡ଼ିଶା ଶାଖାର ସଭାପତି ଡା. ସୁଧାଂସୁ ଶେଖର ସୂତାର, ଭୁବନେଶ୍ୱର ସର୍ଜନ କ୍ଲବ୍ର ବରିଷ୍ଠ ସର୍ଜନ୍ ଡା ସି.ଆର. ଦାଶ ଅନ୍ୟାନ୍ୟ ସର୍ଜନମାନେ ଅଂଶଗ୍ରହଣ କରିଥିଲେ।

ରକ୍ତବାହୀ ସମସ୍ୟାର ଗୁରୁତ୍ୱପୂର୍ଣ୍ଣ ପ୍ରାରମ୍ଭିକ ସୂଚକଗୁଡ଼ିକ ଯଥା ଚାଲିବା ସମୟରେ କ୍ରମାଗତ ଗୋଡ଼ ଯନ୍ତ୍ରଣା, ପାଦରେ ଦୀର୍ଘଦିନ ଧରି ଥିବା ଅଲସର ଓ ଆଙ୍ଗୁଠିର ଚର୍ମ ବିକୃତି ଆଦି ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ବିଶେଷଜ୍ଞମାନେ ଗୁରୁତ୍ୱାରୋପ କରିଥିଲେ। ପ୍ରାରମ୍ଭିକ ପରୀକ୍ଷା ଓ ଉପଯୁକ୍ତ ଚିକିତ୍ସା ଅଙ୍ଗକୁ ବିପଦଜନକ ଅବସ୍ଥାରୁ ରୋକିପାରିବ ବୋଲି ସେମାନେ ମତ ଦେଇଥିଲେ।
ବିଶେଷକରି ମଧୁମେହ, ଧୂମପାନ ଏବଂ ଖରାପ ଭାବରେ ନିୟନ୍ତ୍ରିତ ଉଚ୍ଚ ରକ୍ତଚାପ ଭଳି ଅନ୍ତର୍ନିହିତ ବିପଦ କାରକଗୁଡ଼ିକର ପ୍ରଭାବ ଉପରେ ମଧ୍ୟ ଆଲୋକପାତ କରିଥିଲେ । ପ୍ରମାଣ-ଆଧାରିତ ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରିବାକୁ ବିଶେଷଜ୍ଞମାନେ ଅନୁରୋଧ କରିଥିଲେ । ଧୂମପାନଠାରୁ ଦୂରେଇ ରହିବା, କଠୋର ଗ୍ଲାଇସେମିକ୍ ନିୟନ୍ତ୍ରଣ, ନିୟମିତ ବ୍ୟାୟାମ, ଦୀର୍ଘକାଳୀନ ସ୍ୱାସ୍ଥ୍ୟ ଅବସ୍ଥା ଓ ନିୟମିତ ପାଦର ଅବସ୍ଥା ଅନୁଧ୍ୟାନ କରିବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ।