ଭୁବନେଶ୍ୱର, ୧୫/୦୫ : ଗଜପତି ଜିଲ୍ଲା ପାରଳାସାହି ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ନିଶ୍ଚିହ୍ନ ହୋଇଗଲା ପୂରା ପରିବାର । ପୁଅ ଓ ଝିଅକୁ ବିଷ ଦେଇ ନିଜେ ବିଷ ପିଇ ଦେଲେ ବାପା । ବୁଧବାର ଯାଇଥିଲା ପୁଅ ଓ ଝିଅଙ୍କ ଜୀବନ । ଆଜି ଆଖି ବୁଜିଦେଲେ ବାପା ।
ବୁଧବାର ମଧ୍ୟାହ୍ନରେ ୮ବର୍ଷର ପୁଅ ଓ ୧୧ବର୍ଷର ଝିଅକୁ ବିଷ ଦେଇ ନିଜେ ବିଷ ଖାଇଥିଲା ବାପା ସୁଭାଶିଷ ପାଣିଗ୍ରାହୀ । ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ସଂପର୍କୀୟ । ଚିକିତ୍ସାଧୀନ ଅବସ୍ଥାରେ ପ୍ରଥମେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ପୁଅ ବିଜୟାନନ୍ଦ ଓ ଝିଅ ପ୍ରିୟଦର୍ଶିନୀର ମୃତ୍ୟୁ ହୋଇଥିଲା । ଗୁରୁତର ଅବସ୍ଥାରେ ବାପା ଶୁଭାଶିଷଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା । ହେଲେ ଗୁରୁବାର ସକାଳେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି । ପାରିବାରିକ କଳହକୁ ନେଇ ଏପରି କାଣ୍ଡ ଘଟିଥିବା ସନ୍ଦେହ କରାଯାଇଛି । ମାର୍ଚ୍ଚ ୨୧ ତାରିଖରେ ଶୁଭାଶିଷଙ୍କ ପତ୍ନୀ ଶ୍ବେତାଙ୍କର ଅଚାନକ ମୃତ୍ୟୁ ହୋଇଥିଲା । ପାରିବାରିକ କଳହରୁ ସେ ବିଷ ପିଇଥିବା ନେଇ ସନ୍ଦେହ କରାଯାଉଥିଲା । ତେବେ ଏଯାଁଏ କାରଣ ଅସ୍ପଷ୍ଟ ରହିଛି । ପାରଳାଖେମୁଣ୍ଡି ପୋଲିସ ଘଟଣାର ତଦନ୍ତ କରୁଛି ।
Prev Post