ଭୁବନେଶ୍ୱର,୧୪/୧୧: କାୟାବିସ୍ତାର କରିଚାଲିଛି ଡାଇବେଟିସ୍ । ଗତ ୨୦୨୪ ସୁଦ୍ଧା ଦେଶରେ ୨୦ରୁ ୭୯ବର୍ଷ ବୟସ୍କ ନାଗରିକଙ୍କ ମଧ୍ୟରେ ୮.୯୮ କୋଟି(୮୯.୮ ମିଲିଅନ) ଲୋକ ଡାଇବେଟିସ୍ରେ ଆକ୍ରାନ୍ତ । ଆସନ୍ତା ୨୦୫୦ ସୁଦ୍ଧା ଏହା ୧୫୬.୭ ମିଲିଅନରେ ପହଞ୍ଚିବ । ଆନ୍ତର୍ଜାତିକ ଡାଇବେଟିସ୍ ଫେଡେରେସନର ଡାଇବେଟିସ୍ ଆଟଲାସ୍ ରିପୋର୍ଟ ଏହା ଦର୍ଶାଇଛି । ଓଡିଶାରେ ମଧୁମେହକୁ ନେଇ ଚିନ୍ତା ଲାଗିରହିଥିବା ବେଳେ ପ୍ରତିଦିନ ହସ୍ପିଟାଲକୁ ଦୌଡିବା ଛଡା ଆଉ କୌଣସି ଉପାୟ ନାହିଁ । ଅସନ୍ତୁଳିତ ଆହାର, ପରିବର୍ତ୍ତିତ ଜୀବନଚର୍ଯ୍ୟା ଓ ବଂଶଗତ କାରଣ ପାଇଁ ଏହା ବଢ଼ୁଛି । ଡାଇବେଟିସ୍ ସହ ଡାଇବେଟିକ୍ ଫୁଟ୍ ମଧ୍ୟ ଆହୁରି ମାରାତ୍ମକ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୩୦ବର୍ଷରୁ ଊଦ୍ଧ୍ୱର୍ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ବରିଷ୍ଠ ନାଗରିକଙ୍କ ଚିକିତ୍ସାକୁ ସରକାର ଗୁରୁତ୍ୱ ଦେଇଛନ୍ତି । ଆଶ୍ଚର୍ଯ୍ୟର ବିଷୟ, ମୋଟ ୯ଲକ୍ଷ ୮୮ଜଣ ନାଗରିକ ମଧୁମେହରେ ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ଜଣାପଡିଛି । ସେହିପରି ଚିକିତ୍ସା ଅବଧି ମଧ୍ୟରେ ପ୍ରାୟ ୮ଲକ୍ଷ ରୋଗୀ ଚିହ୍ନଟ ହୋଇଛନ୍ତି । ସାଧାରଣତଃ ମଧୁମେହ ଦୁଇପ୍ରକାର । ସେଗୁଡିକ ହେଉଛି ଟାଇପ୍-୧ ଏବଂ ଟାଇପ୍-୨ । ଟାଇପ୍-୧ ଡାଇବେଟିସ୍ ଯେକୌଣସି ବୟସରେ ବିକଶିତ ହୋଇପାରେ, ଯଦିଓ ଏହା ପ୍ରାୟତଃ ଛୋଟପିଲା ବା ଯୁବାବସ୍ଥାରେ ଦେଖାଯାଏ । ସେହିପରି ଟାଇପ୍ ୨ଡାଇବେଟିସ୍ ଯେକୌଣସି ବୟସର ବ୍ୟକ୍ତିଙ୍କୁ ହୋଇପାରେ । ଭୁବନେଶ୍ୱର ଏମ୍ସସ୍ଥିତ ଏଣ୍ଡୋକ୍ରାଇନୋଲୋଜି ବିଭାଗକୁ ପ୍ରତିମାସକୁ ୨ହଜାର ଡାଇବେଟିସ୍ ରୋଗୀ ଆସୁଛନ୍ତି । ଯେଉଁଥିରେ ଉଭୟ ବରିଷ୍ଠ ନାଗରିକ ଓ ଯୁବ ଗୋଷ୍ଠୀ ଅନ୍ତର୍ଭୁକ୍ତ । ଓଡିଶାରେ ୩୨ଟି ଅଣସଂକ୍ରାମକ ରୋଗ କ୍ଲିନିକ୍, ୩୦ଟି ସେଲସ, ୪୧୪ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରସ୍ତରୀୟ ଅଣସଂକ୍ରାମକ ରୋଗ କ୍ଲିନିକ ରହିଛି । ଯେଉଁଠି ଡାଇବେଟିସ୍ ନମୁନା ପରୀକ୍ଷା ହେଉଛି । ଡାଇବେଟିକ୍ ଫୁଟ୍ ରୋଗୀଙ୍କ ପାଇଁ ଏଲୋପାଥିକ ଔଷଧ ସହ ଆୟୁଷ ଚିକିତ୍ସା ଏବେ ବଡ଼ ଭୂମିକା ଗ୍ରହଣ କରିଛି । ଓଡିଶାରେ ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଆୟୁର୍ବେଦିକ ଗବେଷଣା ପ୍ରତିଷ୍ଠାନ ଓ ଏମ୍ସ ଭୁବନେଶ୍ୱରରେ ଜୋକ ଥେରାପି ମାଧ୍ୟମରେ ଏହି ରୋଗୀଙ୍କ ଗୋଡକୁ ସ୍ୱାଭାବିକ କରାଯାଉଛି । ବରିଷ୍ଠ ଡାଇବେଟିସ୍ ଚିକିତ୍ସକ ଡାକ୍ତର ଅଶୋକ କୁମାର ମହାନ୍ତି କହିଛନ୍ତି, ଭାରତରେ ମଧୁମେହ ଏକ ପ୍ରମୁଖ ସାର୍ବଜନୀନ ସ୍ୱାସ୍ଥ୍ୟ ଚିନ୍ତାର ବିଷୟ, ଯେଉଁଠାରେ ୭୫ ନିୟୁତରୁ ଅଧିକ ବୟସ୍କ ଏହି ରୋଗରେ ପୀଡିତ ଅଛନ୍ତି । ଯଦି ଡାଇବେଟିସ୍ ନିୟନ୍ତ୍ରଣ ନ କରାଯାଏ, ତେବେ ଏହା ହୃଦରୋଗ, ବୃକକ୍ ରୋଗ ଏବଂ ଅନ୍ଧତ୍ୱ ଭଳି ଗମ୍ଭୀର ସ୍ୱାସ୍ଥ୍ୟ ଜଟିଳତା ସୃଷ୍ଟି କରିପାରେ । ତେଣୁ ଡାକ୍ତରଙ୍କ ପରାମର୍ଶ ସହ ସନ୍ତୁଳିତ ଖାଦ୍ୟ ଓ ନିୟମିତ ଯୋଗ, ବ୍ୟାୟାମ ଦ୍ୱାରା ରୋଗକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ସେ କହିଛନ୍ତି ।