ପ୍ରୟାଗରାଜ,୧୮/୪: ମାଫିଆ ଅତିକ୍ ଅହମ୍ମଦ ଏବଂ ଅଶରଫ୍ ଅହମ୍ମଦର ପୋଲିସ ଉପସ୍ଥିତିରେ ହତ୍ୟା ପରେ ପ୍ରଥମ ଥର ପାଇଁ ମୁହାଁ ଖୋଲିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏବେ କୌଣସି ଅପରାଧି କି ମାଫିଆ କାହାକୁ ଧମକ ଦେଇ ପାରିବେ ନାହିଁ । ଉତ୍ତର ପ୍ରଦେଶର ସରକାରଙ୍କ ସମସ୍ତ ନିବେଶକଙ୍କ ପୁଞ୍ଜିକୁ ସୁରକ୍ଷିତ ରଖିବାକୁ ସକ୍ଷମ ଅଛନ୍ତି ବୋଲି ଯୋଗୀ କହିଛନ୍ତି ।
୨୦୧୭ ପୂର୍ବରୁ ୟୁପି ପୂରା ଦେଶରେ ଦଙ୍ଗା ପାଇଁ ପରିଚୟ ପାଇଥିଲା । ପ୍ରତ୍ୟେକ ଦୁଇ ଦିନରେ ଥରେ ଏଠାରେ ହିଂସାତ୍ମକ ଘଟଣା ଘଟୁଥିଲା । ୨୦୧୨ରୁ ୨୦୧୭ ମଧ୍ୟରେ ରାଜ୍ୟରେ ୭୦୦ରୁ ଅଧିକ ଦଙ୍ଗା ଘଟିଛି । ହେଲେ ୨୦୧୭ ପରେ ରାଜ୍ୟରେ ଦଙ୍ଗା ବା ହିଂସାତ୍ମକ ଘଟଣା ହ୍ରାସ ପାଇଛି । ଆଉ ବର୍ତ୍ତମାନ ଅପରାଧି ମାନେ ବ୍ୟବସାୟୀଙ୍କୁ ଧମକାଇ ପାରିବେ ନାହିଁ । ଧମକାଇବା ଓ ବଟି ଅଦାୟ କରିବା ପୂର୍ବରୁ ଟିକିଏ ଭାବିବେ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ୟୁପି ଉପରେ ଲାଗି ଆସିଥିବା କଳଙ୍କକୁ ରାଜ୍ୟ ସରକାର ପୋଛି ଦେଇଛନ୍ତି । ପୂର୍ବରୁ ଯେଉଁଠାରୁ ଅନ୍ଧକାର ଆରମ୍ଭ ହେଉଥିଲା, ସେହିଠାରୁ ଉତ୍ତର ପ୍ରଦେଶ ଆରମ୍ଭ ହେଉଥିଲା ବୋଲି ଲୋକେ କହୁଥିଲେ । ଏବେ ଏହା ଦୂର ହୋଇଛି । ବର୍ତ୍ତମାନ ୟୁପିର ପ୍ରତ୍ୟେକ ଗାଁରେ ଷ୍ଟ୍ରିଟ୍ ଲାଇଟ୍ ଜଳୁଛି । ଟେକ୍ସଟାଇଲ୍ ପାର୍କରେ ଯୋଗ ଦେଇ ଏଭଳି କିଛି କହିଛନ୍ତି ଯୋଗୀ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ଉତ୍ତର ପ୍ରଦେଶ ଯେଉଁ ଉଦ୍ୟୋଗ ପାଇଁ ପରିଚୟ ପାଇଥିଲା, ସେହି ବସ୍ତ୍ର ଉଦ୍ୟୋଗ ପାଇଁ ପିଏମ ମିତ୍ର ଯୋଜନା ଆରମ୍ଭ ପାଇଁ ରାଜ୍ୟକୁ ଚୟନ କରାଯାଇଛି ବୋଲି ଯୋଗୀ ପ୍ରକାଶ କରିଛନ୍ତି ।