ବାଲିଅନ୍ତା ଥାନାରେ କ୍ରାଇମବ୍ରାଞ୍ଚର ତନାଘନା : ଖୋଲିବା ସୌମ୍ୟ ହତ୍ୟାର ଗୁମର

ଭୁବନେଶ୍ୱର, ୧୦/୦୫ : ବାଲିଅନ୍ତାରେ ଘଟିଥିବା ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ନିର୍ମମ ହତ୍ୟା ଘଟଣା ସମଗ୍ର ରାଜ୍ୟକୁ ଚକିତ କରିଦେଇଛି। ଘଟଣାର ଭୟାବହତା ଓ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ସରକାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି। ଏବେ ସବୁ ନଜର କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ। ବାଲିଅନ୍ତା ଥାନାରେ ପହଞ୍ଚିଛି କ୍ରାଇମବ୍ରାଞ୍ଚର ଦୁଇଟି ସ୍ୱତନ୍ତ୍ର ଟିମ୍। ଏସପି ଅନିରୁଦ୍ଧ ରାଉତରାୟଙ୍କ ନେତୃତ୍ୱରେ ଚାଲିଥିବା ଏହି ତଦନ୍ତରେ ଜଣେ ମହିଳା ଡିଏସପି ମଧ୍ୟ ସାମିଲ ହୋଇଛନ୍ତି। ଗୋଟିଏ ଟିମ୍ ଥାନାରେ ବସି ପୋଲିସ ଅଧିକାରୀଙ୍କଠାରୁ ତଥ୍ୟ ସଂଗ୍ରହ କରୁଥିବା ବେଳେ ଅନ୍ୟ ଟିମ୍ ଘଟଣାସ୍ଥଳରେ ଛାନଭିନ ଚଳାଇଛି।

ଏହି ମାମଲାରେ ଏପର୍ଯ୍ୟନ୍ତ ୧୧ ଜଣଙ୍କୁ ଗିରଫ କରାଯାଇଛି। ତେବେ ଏହା ପଛରେ କେବଳ ଜନଆକ୍ରୋଶ ଥିଲା ନା ପୂର୍ବ ଯୋଜନାବଦ୍ଧ ଷଡଯନ୍ତ୍ର, ସେହି ଗୁମର ଖୋଲିବା ହେଉଛି କ୍ରାଇମବ୍ରାଞ୍ଚ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ସ୍ଥାନୀୟ ପୋଲିସ ଠାରୁ ସମସ୍ତ କେସ୍ ଫାଇଲ୍, ସିସିଟିଭି ଫୁଟେଜ୍ ଓ ମୋବାଇଲ୍ ଭିଡିଓ ଜବତ କରାଯିବ। କ୍ୟାପିଟାଲ ହସ୍ପିଟାଲର ଇଞ୍ଜୁରି ରିପୋର୍ଟ ସହ ଡିଏନଏ ପ୍ରମାଣର ପୁନଃ ଯାଞ୍ଚ ମଧ୍ୟ ହେବ। ସବୁଠାରୁ ଚର୍ଚ୍ଚିତ ଦିଗ ହେଉଛି, ଘଟଣାସ୍ଥଳରେ ଉପସ୍ଥିତ ପୋଲିସ କର୍ମଚାରୀଙ୍କ ଭୂମିକା। ସୌମ୍ୟଙ୍କୁ କାହିଁକି ବଞ୍ଚାଯାଇପାରିଲା ନାହିଁ? ପୋଲିସ କେବଳ ଦର୍ଶକ ଥିଲା ନା ଘଟଣାରେ କୌଣସି ସଂପୃକ୍ତି ରହିଛି? ଏହାର ଉତ୍ତର ଖୋଜୁଛି ତଦନ୍ତକାରୀ ଟିମ୍। ଆବଶ୍ୟକ ପଡ଼ିଲେ ପଲିଗ୍ରାଫ୍ ଟେଷ୍ଟ ଓ ନାର୍କୋ ଆନାଲିସିସ୍ ମଧ୍ୟ କରାଯାଇପାରେ।

ତେବେ କ୍ରାଇମବ୍ରାଞ୍ଚ ସାମ୍ନାରେ ରାସ୍ତା ସହଜ ନୁହେଁ। ଭିଡିଓ ଅସ୍ପଷ୍ଟ, ସାକ୍ଷୀମାନେ ଭୟଭୀତ, ଆଉ ସତ୍ୟକୁ ନେଇ ଚାଲିଛି ଅନେକ ଚର୍ଚ୍ଚା। ୬୦ରୁ ୯୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ ଲକ୍ଷ୍ୟ ରଖାଯାଇଥିବା ବେଳେ, ଏହି ତଦନ୍ତ କେବଳ ଜଣେ ଯୁବକଙ୍କ ପାଇଁ ନ୍ୟାୟ ନୁହେଁ, ରାଜ୍ୟରେ ଆଇନର ଭୟ ଓ ଲୋକଙ୍କ ବିଶ୍ୱାସ ଫେରାଇ ଆଣିବାର ମଧ୍ୟ ଏକ ବଡ଼ ପରୀକ୍ଷା ହୋଇଛି।