ଭୁବନେଶ୍ୱର,୩/୧୨: ବିଶ୍ୱକପ୍ ହକିର ଆଉ ଏକ ରୋମାଞ୍ଚକର ମ୍ୟାଚ୍ ୧-୧ରେ ଡ୍ର ରହିଛି। ବିଶ୍ୱର ୮ ନଂ ଦଳ ସ୍ପେନ୍ ଅପେକ୍ଷାକୃତ ଦୁର୍ବଳ ଦକ୍ଷିଣ ଫ୍ରାନ୍ସଠାରୁ ହାରୁହାରୁ ଅଳ୍ପକେ ରକ୍ଷା ପାଇଯାଇଛି। ଦୀର୍ଘ ୨୮ ବର୍ଷ ପରେ ବିଶ୍ୱକପ୍ ହକି ଖେଳୁଥିବା ଫ୍ରାନ୍ସ ମ୍ୟାଚ୍ ଆରମ୍ଭରୁ ନିଜଠାରୁ ଶକ୍ତିଶାଳୀ ସ୍ପେନ୍ ଉପରେ ଚାପ ସୃଷ୍ଟି କରିଥିଲା। ବର୍ତ୍ତମାନ ବିଶ୍ୱର ୨୦ ନଂ ସ୍ଥାନରେ ଥିବା ଫ୍ରାନ୍ସ ତା’ର ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡଠାରୁ ପରାସ୍ତ ହୋଇଥିବାରୁ ସ୍ପେନ୍ ବିପକ୍ଷ ମ୍ୟାଚ୍ଟି କର ବା ମର ପରିସ୍ଥିତି ଭାବେ ଉଭା ହୋଇଥିଲା। ତେଣୁ ଦଳ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ମ୍ୟାଚ୍ର ୬ ମିନିଟ୍ରେ ଟିମୋଥି କ୍ଲେମେଣ୍ଟ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଫିଲ୍ଡ୍ ଗୋଲ୍ କରିଥିଲେ। ଫଳରେ ଦଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଶକ୍ତିଶାଳୀ ସ୍ପେନ୍ ବିପକ୍ଷରେ ୧-୦ରେ ଆଗୁଆ ହୋଇଯାଇଥିଲା।
୪ର୍ଥ କ୍ୱାର୍ଟର ଆରମ୍ଭରୁ ସ୍ପେନ୍ ରଣନୀତି ବଦଳାଇଥିଲା। ଫଳରେ ଦଳ ମ୍ୟାଚ୍ର ୪୮ତମ ମିନିଟ୍ରେ ଗୋଲ କରି ସ୍ଥିତି ବରାବର କରିଥିଲା। ଏହି ଗୋଲ୍ଟିକୁ ଦଳ ପକ୍ଷରୁ ଆଲଭୋରା ଲିଗ୍ଲେସିଆସ୍ ସ୍କୋର କରିଥିଲେ। ୫୧ତମ ମିନିଟ୍ରେ ଫ୍ରାନ୍ସକୁ ଗୋଲ କରିବାକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। କିନ୍ତୁ ଏହାକୁ ସ୍ପେନ୍ ଗୋଲକିପର୍ ଅଟକାଇ ଫ୍ରାନ୍ସର ବିଜୟ ଆଶାକୁ ଧୂଳିସାତ କରି ଦେଇଥିଲେ। ଶେଷରେ ମ୍ୟାଚ୍ଟି ୧-୧ରେ ଡ୍ର ରହିଥିଲା।