ଜୟପୁର, ୧୮/୧୨: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ର ୧୨ତମ ସଂସ୍କରଣ ପାଇଁ ଖେଳାଳିଙ୍କ ନିଲାମ ସମୟରେ ଟଙ୍କା ବର୍ଷା ହୋଇଛି। ଏହି ସମୟରେ ଫ୍ରାଞ୍ଚାଇଜି କିଛି ଯୁବ ଖେଳାଳିଙ୍କ ଉପରେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଉଚିତ୍ ଭାବିଥିଲେ। କିଙ୍ଗ୍ସ ଇଲେଭେନ ଜଣେ ୨୦ ବର୍ଷୀୟ ଅଲରାଉଣ୍ଡରଙ୍କ ଉପରେ ଏତେ ଟଙ୍କା ବର୍ଷା କରିଛି ଯେ ଯାହା ଆପଣ ଜାଣିବେ ଚକିତ ହେବେ। ଆସନ୍ତୁ ଜାଣିବା ସେହି ୫ ଖେଳାଳିଙ୍କ ବିଷୟରେ ଯିଏ ଆଇପିଏଲ ୨୦୧୯ ପାଇଁ ସବୁଠୁ ମହଙ୍ଗାରେ ବିକ୍ରି ହୋଇଛନ୍ତି –
(୧) ଜୟଦେବ ଉନାଦକତ – ଭାରତୀୟ ଦ୍ରୁତ ବୋଲର ଜୟଦେବ ଉନାଦକତ। ଗତ ଥର ପରି ଏଥର ନିଲାମରେ ମଧ୍ୟ ଉଦାନକତଙ୍କ ଉପରେ ଟଙ୍କାର ବର୍ଷା ହୋଇଛି। ତାଙ୍କୁ ରାଜସ୍ଥାନ ରୟାଲ୍ସ ୮ କୋଟି ୪୦ ଲକ୍ଷ ଟଙ୍କାରେ କିଣିଛି। ଚଳିତ ଥର ତାଙ୍କର ବେସ୍ ପ୍ରାଇସ୍ ୧ କୋଟି ୫୦ ଲକ୍ଷ ଟଙ୍କା ଥିଲା। ମାତ୍ର ତାଙ୍କୁ କିଣିବା ପାଇଁ ଫ୍ରାଞ୍ଚାଇଜିଙ୍କ ମଧ୍ୟରେ ଭଲ ପ୍ରତିଯୋଗିତା ଲାଗି ରହିଥିଲା। ଶେଷରେ ରାଜସ୍ଥାନ ରୟାଲ୍ସ ତାଙ୍କୁ କିଣିବାରେ ସଫଳ ହୋଇଥିଲା। ଗତ ନିଲାମରେ ମଧ୍ୟ ରାଜସ୍ଥାନ ଉନାଦକତଙ୍କୁ ସର୍ବାଧିକ ୧୧ କୋଟି ୪୦ ଲକ୍ଷ ଟଙ୍କାରେ କିଣିଥିଲା। ମାତ୍ର ୧୫ ମ୍ୟାଚରୁ କେବଳ ୧୧ ଓ୍ଵିକେଟ୍ ନେବାରୁ ଦଳ ନିଲାମ ପୂର୍ବରୁ ତାଙ୍କୁ ଛାଡ଼ି ଦେଇଥିଲା।
(୨) ବରୁଣ ଚକ୍ରବର୍ତ୍ତୀ – ୨୭ ବର୍ଷୀୟ ମିଷ୍ଟ୍ରି ସ୍ପିନର ବରୁଣଙ୍କ ବେସ୍ ପ୍ରାଇସ୍ ୨୦ ଲକ୍ଷ ଥିଲା। ମାତ୍ର ତାଙ୍କର ମୂଲ୍ୟ ୪୨ ଗୁଣ ଅଧିକ ହୋଇଥିଲା। ଏହି ଅଜଣା ଖେଳାଳିଙ୍କୁ କିଙ୍ଗ୍ସ ଇଲେଭେନ ପଞ୍ଜାବ ୮ କୋଟି ୪୦ ଲକ୍ଷ ଟଙ୍କାରେ କିଣି ସମସ୍ତଙ୍କୁ ଆଶ୍ଚର୍ୟ୍ୟ ଚକିତ କରିଛି। ବରୁଣ ଘରୋଇ କ୍ରିକେଟରେ ନିଜର ସ୍ଵତନ୍ତ୍ର ଛବି ତିଆରି କରିଛନ୍ତି। ସେ ତାମିଲନାଡୁ ପ୍ରିମିୟର ଲିଗରେ ଦମଦାର ପ୍ରଦର୍ଶନ କରି ୯ଟି ମ୍ୟାଚରୁ ୨୨ ଓ୍ଵିକେଟ୍ ନେଇଛନ୍ତି। ଏହା ସହିତ ବରୁଣ ବିଜୟ ହଜାରେ ଟ୍ରଫିରେ ୪.୭ ଇକୋନୋମିକ ହାରରେ ୯ ଓ୍ଵିକେଟ୍ ନେଇ ଦ୍ଵିତୀୟ ସବୁଠୁ ସଫଳ ବୋଲର ରହିଛନ୍ତି। ବରୁଣଙ୍କୁ କିଣିବା ପାଇଁ କୋଲକାତା ମଧ୍ୟ ଶେଷ ପର୍ୟ୍ୟଟନ୍ତ ରୁଚି ଦେଖାଇଥିଲା।
(୩) ସାମ କୁରନ – ପଞ୍ଜାବର ଏହି ଧୂଆଁଧାର ଅଲରାଉଣ୍ଡରଙ୍କ ଉପରେ ଯେଉଁ ମୂଲ୍ୟ ଲଗାଇଛି ଏହାକୁ ଦେଖି ସମସ୍ତେ ଆଚମ୍ବିତ। ଇଂଲଣ୍ଡର ୨୦ ବର୍ଷୀୟ ଏହି ଖେଳାଳିଙ୍କ ବେସ୍ ପ୍ରାଇସ୍ ୨ କୋଟି ଥିଲା। ଯାହାକୁ ପଞ୍ଜାବ ୭ କୋଟି ୨୦ ଲକ୍ଷ ଖର୍ଚ୍ଚ କରି ନିଜ ଦଳରେ ସାମିଲ କରିଛି। କୁରନଙ୍କ ଉପରେ ଟଙ୍କା ବର୍ଷା ହେବା ସ୍ଵାଭାବିକ ଥିଲା କାରଣ ସେ ଟେଷ୍ଟରେ ଟି ୨୦ ପରି ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଇପିଏଲରେ କୁରନଙ୍କ ଏହା ପ୍ରଥମ ସିଜିନ ହେବ। ଖାସ୍ କଥା ଏହା ଯେ କୁରନ ଏ ପର୍ୟ୍ୟ ନ୍ତ କୌଣସି ଟି ୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳି ନାହାନ୍ତି। ଏମିତିରେ ପଞ୍ଜାବ ତାଙ୍କ ଉପରେ ବଡ଼ ବାଜି ଲଗାଇଛି।
(୪) କୋଲିନ ଇନଗ୍ରାମ – ଦକ୍ଷିଣ ଆଫ୍ରିକାର ୩୩ ବର୍ଷୀୟ ବ୍ୟାଟସମ୍ୟାନ କୋଲିନ ଇନଗ୍ରାମ ଚଳିତ ସଂସ୍କରଣର ଚତୁର୍ଥ ସବୁଠୁ ଦାମୀ ଖେଳାଳି ରହିଛନ୍ତି। କୋଲିନଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୬ କୋଟି ୪୦ ଲକ୍ଷ ଟଙ୍କାରେ କିଣିଛି। ତାଙ୍କର ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ଥିଲା। ମାତ୍ର ତାଙ୍କୁ କିଣିବା ପାଇଁ ଦିଲ୍ଲୀ ଡେୟାର ଡେଭିଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ପ୍ରତିଯୋଗିତା ଲାଗି ରହିଥିଲା। ଦିଲ୍ଲୀ ତାଙ୍କୁ କିଣିବା ପାଇଁ ପ୍ରଥମରୁ ହିଁ ମନସ୍ଥ କରି ସାରିଥିଲା, ମାତ୍ର ହାଇଦ୍ରାବାଦ ବି ପଛରେ ପଡ଼ିନଥିଲା। ମାତ୍ର ଶେଷରେ ଦିଲ୍ଲୀ ହିଁ କୋଲିନଙ୍କ ଉପରେ ବଡ଼ ବାଜି ଲଗାଇଥିଲା।
(୫) କାର୍ଲୋସ୍ ବ୍ରେଥଓ୍ଵେଟ୍ – ଇଣ୍ଡିଜ୍ ଅଲରାଉଣ୍ଡର କାର୍ଲୋସ୍ ବ୍ରେଥଓ୍ଵେଟ୍ ଚଳିତ ସିଜିନର ପଞ୍ଚମ ସବୁଠୁ ମହଙ୍ଗା ଖେଳାଳି। ତାଙ୍କୁ କୋଲକାତା ନାଇଟ ରାଇଡର୍ସ ୫ କୋଟି ଟଙ୍କାରେ କିଣି ନିଜ ଦଳରେ ସାମିଲ କରିଛି। ବ୍ରେଥଓ୍ଵେଟଙ୍କୁ କିଣିବା ପାଇଁ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟ ରୁଚି ଦେଖାଇଥିଲା। ତାଙ୍କର ବେସ୍ ପ୍ରାଇସ୍ ୭୫ ଲକ୍ଷ ଟଙ୍କା ଥିଲା। ବ୍ରେଥଓ୍ଵେଟଙ୍କୁ ଗତ ସିଜିନରେ ହାଇଦ୍ରାବାଦ ୨ କୋଟି ଟଙ୍କାରେ କିଣିଥିଲା। ମାତ୍ର ସେ ନା ବଲରେ ନା ବ୍ୟାଟରେ କମାଲ କରିପାରିଥିଲେ। ମାତ୍ର ଏବେ ଦେଖିବାକୁ ବାକି ରହିଲା ଯେ କୋଲକାତାକୁ ବ୍ରେଥଓ୍ଵେଟଙ୍କ ଫାଇଦା ମିଳୁଛି ନା ନାହିଁ। ୨୦୧୬-୧୭ ସିଜିନରେ ସେ ଦିଲ୍ଲୀ ପକ୍ଷରୁ ଖେଳିଥିଲେ।